fbpx

ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରିବେ ମମତା ବାନାର୍ଜୀ ! ମୋଦୀଙ୍କୁ ଭେଟିବେ, ଏହି ଦାବି ଉଠାଇବେ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହରେ ଦିଲ୍ଲୀ ଗସ୍ତ କରିବେ। ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ସମ୍ଭାବନା ରହିଛି। ସୂତ୍ର ମୁତାବକ ସାକ୍ଷାତ ସମୟରେ ମମତା ରାଜ୍ୟର ବକେୟା ଏବଂ ବିଏସଏଫଙ୍କ ଅଧିକାର କ୍ଷେତ୍ର ବୃଦ୍ଧି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମମତା ନଭେମ୍ବର ୨୨ରେ ଦିଲ୍ଲୀ ଗସ୍ତ କରିବେ ଏବଂ ୨୫ରେ କୋଲକାତା ଫେରିବାର କାର୍ଯ୍ୟକ୍ରମ ରହିଥିବା ଜନୈକ ଅଧିକାରୀ କହିଛନ୍ତି।

ନିଜର ତିନି ଦିନିଆ ଦିଲ୍ଲୀ ଗସ୍ତରେ ମମତା ବାନାର୍ଜୀ ଅନେକ ରାଜନୈତିକ ଦଳ ସହିତ ବୈଠକ କରି ପାରନ୍ତି। ଆଗାମୀ ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ସେ ଅନ୍ୟ ଦଳ ସହିତ ରଣନୀତି ପ୍ରସ୍ତୁତ କରି ପାରନ୍ତି। ମୋଦୀଙ୍କ ସହିତ ପ୍ରସ୍ତାବିତ ବୈଠକ ବିଷୟରେ ଜନୈକ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ଦୀର୍ଘ ଦିନ ଧରି ବକେୟା ଦାବି ଉଠାଇ ପାରନ୍ତି।

ସେ ସୀମା ସୁରକ୍ଷା ବଳ(ବିଏସଏଫ)ଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଜାତୀୟ ସୀମାଠୁ ୧୫ କିଲୋମିଟରରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରିବା କେନ୍ଦ୍ରର ନିଷ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆପତ୍ତି ପ୍ରକାଶ କରିବେ। ଏହା ପୂର୍ବରୁ ଟିଏମସି କହି ସାରିଛି ଯେ, କେନ୍ଦ୍ରର ପଦକ୍ଷେପ କେବଳ ସାଧାରଣ ଜନତାଙ୍କୁ ପ୍ରତାଡିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଟିଏମସି କହି ସାରିଛି।

Get real time updates directly on you device, subscribe now.