ଯୁବତୀଙ୍କ ବ୍ୟବହାରରେ ହେଲା ପରିବର୍ତ୍ତନ, ଏହାକୁ ନେଇ ଜିତେନ୍ଦ୍ରଙ୍କୁ ଛେଚିଲେ ଗ୍ରାମବାସୀ

ଟାଙ୍ଗୀ- ଆଜି ମଣିଷ ମଙ୍ଗଳରେ ଯାଗା କିଣି ଘର ତୋଳିବାକୁ ବାହାରିଲାଣି । ହେଲେ ଆମ ସମାଜ ଭୁତପ୍ରେତ, ଗୁଣିଗାରେଡିରୁ ବାହାରି ପାରୁନାହିଁ । ସମାଜରେ ଆଜି ବି ଅନ୍ଧବିଶ୍ୱାସ ଯୋଗୁଁ ବହୁ ଅପରାଧିକ ଘଟଣା ଦେଖିବାକୁ ମିଳୁଛି । କାହାର ଦେହ ଖରାପ ହେଲେ ଲୋକେ ରୋଗର କାରଣ ଚିକିତ୍ସା ବିଜ୍ଞାନ ମାଧ୍ୟମରେ ନ ଖୋଜି, ଯୋଡୁଛନ୍ତି ଗୁଣିଗାରେଡି ସହ । ଆଉ ଘଟାଉଛନ୍ତି ଅପରାଧ । ଯେମିତି ଘଟିଛି ଟାଙ୍ଗୀ ଥାନା ଅଧୀନରେ । ଟାଙ୍ଗୀ ଥାନା ଅଧୀନ ରୁଦ୍ରପୁର ଅଂଚଳର ଜିତେନ୍ଦ୍ର ମଲ୍ଲିକ (୩୪)ଙ୍କୁ ଗୁଣିଆ ସନ୍ଦେହରେ ଆକ୍ରମଣ କରାଯାଇଛି । ଏନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ ନ ଭତ୍ତିମୁଣ୍ଡା ଦଳିତ ବସ୍ତିରେ ବିବାହ କରିଥିବା ଜିତେନ୍ଦ୍ର ମଲ୍ଲିକ  ନିଜ ଶ୍ୱଶୁର ଘରକୁ ନିୟମିତ ଆସୁଥିଲେ । ସେଠାରେ ସେ ନିଜ ଅଭ୍ୟାସ ମୁତାବକ ଠାକୁରାଣୀ ପୂଜାରେ କରୁଥିଲେ । ତେବେ ଗତ କିଛିଦିନ ତଳେ ଉକ୍ତ ବସ୍ତିର ଜଣେ ଯୁବତୀ ଅସ୍ୱଭାବିକ ବ୍ୟବହାର ପ୍ରଦର୍ଶନ କଲେ । ଯୁବତୀଙ୍କୁ କେହି ଗୁଣି କରିଥିବା ନେଇ ବସ୍ତିରେ ଚର୍ଚ୍ଚା ହେଲା । ଗତ ବୁଧବାର ଅପରାହ୍ଣରେ ବସ୍ତିବାସିନ୍ଦା ଜିତେନ୍ଦ୍ରଙ୍କୁ ଡାକି ନେଇ ତାଙ୍କ ଦୁଇ ହାତକୁ ବାନ୍ଧିଦେଇଥିଲେ ଓ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏ ନେଇ ପରିବାର ଲୋକେ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜିତେନ୍ଦ୍ର ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଏହି ଘଟଣାକୁ ନେଇ ଜିତେନ୍ଦ୍ରଙ୍କ ପରିବାରରୁ ପୋଲିସ୍ରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଉକ୍ତ ବସ୍ତିର ପ୍ରମୋଦ ମଲ୍ଲିକ (୩୨) ଓ ସୁରେଶ ମଲ୍ଲିକ (୨୦)ଙ୍କୁ ଗିରଫ୍ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି ।