କୃଷକ ଆନ୍ଦୋଳନ ମଞ୍ଚ ନିକଟରୁ ମିଳିଲା ଝୁଲନ୍ତା ମୃତଦେହ, ହାତ ଓ ବେକ କାଟି କରାଯାଇଛି ନିର୍ମମ ହତ୍ୟା

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ସ୍ଥଳ କୁଣ୍ଡଲିରେ ସିଙ୍ଘୁ ବର୍ଡରରେ ଗୁରୁବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ବ୍ୟକ୍ତିଙ୍କୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡିବା ସହ ଗୋଟିଏ ହାତ କାଟି ଦିଆଯାଇଛି । ମୃତଦେହକୁ କୃଷକ ଆନ୍ଦୋଳନ ମଞ୍ଚ ସାମ୍ନାରେ ଟାଙ୍ଗି ଦିଆଯାଇଛି । ଯୁବକଙ୍କ ଉପରେ ଗୁରୁ ଗ୍ରନ୍ଥ ସାହିବର ବେଅବଦିର ଅଭିଯୋଗ ରହିଛି । କୃଷକ ଆନ୍ଦୋଳନକୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଉଛି । ଘଟଣାର ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ଶୁକ୍ରବାର ଭୋର ୫ଟାରେ ହୋଇଥିବା କୁହାଯାଉଛି । ଏହା ପରେ କୁଣ୍ଡଲି ବର୍ଡରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶବର ଗୋଟିଏ ହାତ କାଟି ଦିଆଯାଇଛି । ପାଞ୍ଚ ଆଙ୍ଗୁଠି ସହିତ ପୂରା ପାପୁଲିକୁ ହାତରୁ କାଟି ଅଲଗା କରି ଦିଆଯାଇଛି । ବେକକୁ ମଧ୍ୟ ଧାରୁଆ ହତିଆରରେ ଆକ୍ରମଣ କରାଯାଇଥିବାର ଚିହ୍ନ ରହିଛି । ସୂଚନା ମିଳିବା ମାତ୍ରେ କୁଣ୍ଡଲି ଥାନା ଅଧିକାରୀ ରବି କୁମାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ନିଜ କବଜାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ।

 

ଯୁବକଙ୍କ ପରିଚୟ ମିଳିପାରିନଥିଲେ ମଧ୍ୟ ବସୟ ପାଖାପାଖି ୩୫ ବର୍ଷ ହେବ ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ସିଙ୍ଘୁ ବର୍ଡରରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି । ସୋନିପତ ଡିଏସପି ହଂସରାଜ କହିଛନ୍ତି, ଶୁକ୍ରବାର ସକାଳ ୫ଟାରେ ସୂଚନା ମିଳିଥିଲା ଯେ, କୃଷକ ଆନ୍ଦୋଳନ ଚାଲିଥିବା ମଞ୍ଚ ନିକଟରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ ଟାଙ୍ଗି ଦିଆଯାଇଛି । ଏହି ହତ୍ୟାକାଣ୍ଡ କିଏ କରିଛି, କାହିଁକି କରିଛି ବର୍ତ୍ତମାନ ଏହି ବିଷୟରେ କିଛି ଜଣା ପଡିନାହିଁ । ଏହି ସମ୍ବନ୍ଧରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି ।