fbpx

ପତ୍ନୀ ମଟନ୍ ନକରିବାରୁ ୧୦୦ରେ ଫୋନ୍ କରି ଅଭିଯୋଗ କଲା ସ୍ୱାମୀ, ପୋଲିସ ନେଲା ଏପରି ଆକ୍ସନ୍

ନୂଆଦିଲ୍ଲୀ: ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ହୋଲି ଅବସରରେ ଏକ ଅଜବ ଘଟଣା ଘଟିଛି । ଜରୁରୀକାଳୀନ ପରିସ୍ଥିତିରେ ଫୋନ୍ ନମ୍ବର ୧୦୦କୁ କଲ୍ କରି ଲୋକମାନେ ପୋଲିସର ସହାୟତା ନିଅନ୍ତି, କିନ୍ତୁ ତେଲେଙ୍ଗାନାରେ ଜଣେ ବ୍ୟକ୍ତି ଏହି ନମ୍ବରରେ ଫୋନ୍ କରି ନିଜ ସ୍ତ୍ରୀ ନାଁରେ ଅଭିଯୋଗ କରିଛନ୍ତି । ଖବର ଅନୁସାରେ, ତାଙ୍କ ପତ୍ନୀ ମଟନ୍ ରୋଷେଇ କରିନଥିଲେ, ଯାହାକୁ ନେଇ ସେ ୧୦୦ ନମ୍ବରକୁ ଫୋନ୍ କରିଥିଲେ । ଅବଶ୍ୟ ବ୍ୟକ୍ତି ଜଣକ ଏବେ ଜେଲରେ ଅଛନ୍ତି ।

କନାଗଳ ମଣ୍ଡଳର ଗାଁ ଚେରଲା ଗୌରାରାମର ନବୀନ ନିଜ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଥରେ କି ଦୁଇଥର ନୁହେଁ, ବରଂ ୬ ଥର ୧୦୦କୁ କଲ୍ କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ନବୀନ ନିଶାରେ ଥିବା ଅବସ୍ଥାରେ ୧୦୦ ଡାଏଲ କରିଥିଲେ । ତାଙ୍କ ପତ୍ନୀ ଉତ୍ସବ ଦିନରେ ମଟନ୍ ରୋଷେଇ କରିବାକୁ ମନା କରିବାକୁ ସେ ରାଗିଥିଲେ ।

ପୋଲିସ ପ୍ରଥମେ ଏହାର ଏକ ମଜାକ୍ ଭାବେ ଅଣଦେଖା କରିଥିଲା । କିନ୍ତୁ ନବୀନ ବାରମ୍ବାର କଲ୍ କରିବା ଜାରି ରଖିଥିଲେ, ଯାହାଫଳରେ କଲ୍ ପରିଚାଳନା କରୁଥିବା ଅଧିକାରୀମାନେ ବରିଷ୍ଠ ଅଧିକାରୀଙ୍କୁ ଏବିଷୟରେ ସୂଚନା ଦେଇଥିଲେ । ସେମାନେ ନବୀନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିଷ୍ପତ୍ତି ନେଇଥିଲେ । ପୋଲିସ ଅଧିକାରୀ ଫୋନ କରିଥିବା ନବୀନଙ୍କ ବିଷୟରେ ଯାଞ୍ଚ କରିଥିଲେ ଓ ପରଦିନ ସକାଳେ ତାଙ୍କୁ ଗିରଫ କରିଥିଲେ ।

ସୂଚନା ଅନୁସାରେ, ନବୀନ ଶୁକ୍ରବାର ରାତିରେ ମଦ ପିଇ ଘରକୁ ଫେରିଥିଲେ । ସେ ନିଜ ସହ ମଟନ୍ ନେଇ ଆସିଥିଲେ ଓ ପତ୍ନୀଙ୍କୁ ରୋଷେଇ କରିବାକୁ କହିଥିଲେ । ସ୍ୱାମୀଙ୍କ ଖରାପ ଅଭ୍ୟାସ ଯୋଗୁଁ ପତ୍ନୀ ରୋଷେଇ କରିବାକୁ ମନା କରିଥିଲେ । ଏହା ପରେ ନବୀନ ଫୋନ ଆଣି ପୋଲିସକୁ ଅଭିଯୋଗ କରିଥିଲେ । ଅନ୍ୟପଟେ ଲୋକମାନଙ୍କୁ ଡାଏଲ ନମ୍ବର ୧୦୦ ସୁବିଧାର ଅପବ୍ୟବହାର ନକରିବାକୁ ପୋଲିସ ନିବେଦନ କରିଛି ।

Get real time updates directly on you device, subscribe now.