ଲୁଚି ଲୁଚି ପଡ଼ୋଶୀଙ୍କ ଜୋତା ଶୁଙ୍ଘିବା ପଡ଼ିଲା ମହଙ୍ଗା, ଏହି ଦଣ୍ଡ ଶୁଣାଇଲେ କୋର୍ଟ

ଓଡ଼ିଶା ଭାସ୍କର: ଆଜିକାଲି ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହେବାରେ ଲାଗିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ରୀଲ୍ସ, ନାଚ, ଗୀତ, ଷ୍ଟଣ୍ଟ ଇତ୍ୟାଦି କରି ନିଜ ଲୁକାୟିତ କଳାର ପ୍ରଦର୍ଶନ କରି ସୋସିଆଲ ମିଡିଆରେ ଫଲୋଅର୍ସ ସଂଖ୍ୟା ବୃଦ୍ଧି କରିବା ଚକ୍କରରେ ରହୁଛନ୍ତି । ଏହା ଦ୍ୱାରା ସେମାନେ ଚର୍ଚ୍ଚାରେ ରହୁଛନ୍ତି । ନିକଟରେ ଜଣେ ବ୍ୟକ୍ତିଙ୍କ ଅଜବ ହରକତ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିପାଇଁ କୋର୍ଟ ତାଙ୍କୁ ଦଣ୍ଡ ମଧ୍ୟ ଶୁଣାଇଛନ୍ତି ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗ୍ରୀସରେ । ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଜୋତା ଶୁଙ୍ଘିବାର ଅଜବ ଅଭ୍ୟାସ ରହିଛି । ଏଥିପାଇଁ ସେ ରାତିରେ ଲୁଚି ଲଚି ତାଙ୍କ ପଡ଼ୋଶୀଙ୍କ ଘରକୁ ଯାଇ ଜୋତା ଶୁଙ୍ଘିଥାନ୍ତି । ତାଙ୍କର ଏଭଳି ଅଭ୍ୟାସ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା କିନ୍ତୁ ସେହି ଯୁବକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ସେ ତାଙ୍କ ଏହି ଅଭ୍ୟାସ ଜାରି ରଖିଥିଲେ । ତେବେ ଗ୍ରୀସର ଏକ କୋର୍ଟ ଏଭଳି ଅଭ୍ୟାସ ବିଷୟରେ ପଚାରିବାରୁ ଉକ୍ତ ଯୁବକ ଜଣଙ୍କ ଏହାର କୌଣସି ସଠିକ କାରଣ ଦର୍ଶାଇପାରିନଥିଲେ । ଏହା ପରେ କୋର୍ଟ ତାଙ୍କୁ ଏକ ମାସ ପାଇଁ ଜେଲଦଣ୍ଡ ଶୁଣାଇଥିଲେ (ଯାହା ପ୍ରୋବେସନ ସହ ସମାନ) । ଏହି ସମୟରେ ତାଙ୍କୁ ଥେରାପି ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯୁବକ ଜଣଙ୍କ ନିଜ କାର୍ଯ୍ୟ ପାଇଁ ବହୁତ ଲଜ୍ଜିତ ବୋଲି କୋର୍ଟକୁ କହିଥିଲେ । ଏହା ଦ୍ୱାରା ସେ କାହାର କ୍ଷତି କିମ୍ବା ଆଇନ୍ ଭାଙ୍ଗିବାର ତାଙ୍କ କୌଣସି ଉଦ୍ଦେଶ୍ୟ ନଥିବା କହିଥିଲେ ।

ତେବେ ଜୋତା ଶୁଙ୍ଘିବା ଅଭ୍ୟାସକୁ ଏକ ପ୍ରକାର ମାନସିକ ରୋଗ କିମ୍ବା ଫେଟିଶ୍ ଡିସଅର୍ଡ଼ର ବୋଲି କହିପାରିବା । ଏଭଳି ସ୍ଥିତିରେ ବ୍ୟକ୍ତି ଜଣଙ୍କ କୌଣସି ବସ୍ତୁ କିମ୍ବା ଶରୀରର ଏକ ଅଙ୍ଗ(non sexual body parts) ପ୍ରତି ଅତ୍ୟାଧିକ ଆକର୍ଷଣ ରହିଥାଏ । ତେବେ ଏହା କେବଳ ଏକ ଅଜବ ମାମଲା ନୁହେଁ ବରଂ ଏକ ସାମାଜିକ ପ୍ରସଙ୍ଗ ଉପରେ ଆଲୋକପାତ କରୁଛି । ତେବେ ସୂତ୍ରରୁ ପ୍ରକାଶ ଗତ ୬ ମାସରେ ଏଭଳି ଘଟଣା ୩ ଥର ହୋଇଥିବା ନେଇ ପଡ଼ୋଶୀ ଅଭିଯୋଗ କରିଥିଲେ । ପୂର୍ବରୁ ପଡ଼ୋଶୀ ମଧ୍ୟ ଯୁବକଙ୍କ ପରିବାର ସଦସ୍ୟଙ୍କୁ ତାଙ୍କର ଏଭଳି ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.