fbpx
BSKY
BJD SHG SKY
BJD YOUTH SKY

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ଜେଲ ଗଲେ ନିରଞ୍ଜନ ଓ ରଞ୍ଜନ, ଶର୍ମିଷ୍ଠା ଓ ଝୁନାଙ୍କୁ ଆଉ ୩ ଦିନିଆ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

ଜବତ ଡାଏରୀ ନେଇ ହେବ ତଦନ୍ତ

ଚାନ୍ଦବାଲି/କଟକ, (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଏହି ଜଘନ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ସହଯୋଗୀ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଥିବାବେଳେ ରିମାଣ୍ଡ ପରେ ରବିବାର ଚାନ୍ଦବାଲି ଜେଏମ୍‌ଏଫସିଙ୍କ ଅଦାଲତରେ ହାଜର କରିଥିଲା । ହାଜର ସମୟରେ ଏହି ୪ ଅଭିଯୁକ୍ତଙ୍କୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ତେବେ ଅଦାଲତ କେବଳ ଶର୍ମିଷ୍ଠା ଓ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନିରଞ୍ଜନ ଓ ରଞ୍ଜନଙ୍କୁ ଭଦ୍ରକ ଜେଲକୁ ପଠାଇ ଦେଇଛନ୍ତି । ରିମାଣ୍ଡ ସମୟରେ ବହୁ କିଛି ତଥ୍ୟ ହାସଲ କରିବାକୁ ବାକି ରହିଥିବାରୁ ଏମାନଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇଛି ।

ସୂଚନାଯୋଗ୍ୟ ଯେ ଶନିବାର ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ନିକଟରେ ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ହତ୍ୟା ସମ୍ପର୍କରେ ସ୍ୱୀକାର କରିବାସହ ଡେମୋ ଦେଖାଇଥିଲେ । ରିମାଣ୍ଡର ଶେଷ ଦିନରେ ସମ୍ପୂର୍ଣ୍ଣ ଅଫିସରେ ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ନେଇ କ୍ରାଇମ୍‌ସିନ୍‌ ରିକ୍ରିଏସନ କରାଇଥିଲା କ୍ରାଇମବ୍ରାଞ୍ଚ । ସେହି ରି ଶର୍ମିଷ୍ଠାଙ୍କ ସ୍କାଏଟାୱାରରେ ଥିବା ଫ୍ଲାଟ୍‌ରେ ମଧ୍ୟ ସିନ୍‌ ରିକ୍ରିଏସନ କରାଯାଇଥିଲା । ସେହି ସମୟରେସେଠାରୁ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କର ଏକ ଡାଏରୀ ଜବତ କରାଯାଇଥିଲା । ସେ ଡାଏରୀ ସମ୍ପର୍କରେ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ସେହିରି ଶର୍ମିଷ୍ଠାଙ୍କ ଫ୍ଲାଟ୍‌ରେ ଥିବା ତାଙ୍କ ମୋବାଇଲକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି । ଆପାର୍ଟମେଣ୍ଟର ସିକ୍ୟୁରିଟି ପାଖରେ ଶର୍ମିଷ୍ଠାର ନଣନ୍ଦ ଛାଡ଼ିଯାଇଥିବା ଏକ ଅଣ୍ଡରଟେକିଂ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି । ତେବେ ହତ୍ୟାକାଣ୍ଡ ପରେ ଶର୍ମିଷ୍ଠାଙ୍କୁ ଫେରାର ହେବାରେ ସହଯୋଗ ଯୋଗାଇ ଦେଇଥିଲା ଅଭିଯୁକ୍ତ ନିରଞ୍ଜନ । ଏ ନେଇ କ୍ରାଇମବ୍ରାଞ୍ଚ ନିକଟରେ ସେ ସ୍ୱୀକାର କରିଛି । ତେବେ ଆଗାମୀ ୩ ଦିନ ରିମାଣ୍ଡ ସମୟରେ କ୍ରାଇମବ୍ରାଞ୍ଚ ମାଷ୍ଟରମାଇଣ୍ଡଠାରୁ କେଉଁସବୁ ତଥ୍ୟ ହାସଲ କରିବ ତା’ଉପରେ ଏବେ ସମସ୍ତଙ୍କ ନଜର ।

Get real time updates directly on you device, subscribe now.