fbpx

ବାତିଲ ହୋଇପାରେ ମାଞ୍ଚେଷ୍ଟର ଟେଷ୍ଟ, ସୌରଭ କହିଲେ- ଜଣା ନାହିଁ ମ୍ୟାଚ୍ ହେବ କି ନାହିଁ

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା । ହେଲେ ଏହି ମ୍ୟାଚ୍ ଖେଳାଯିବ କି ନାହିଁ ଏବେ ସନ୍ଦେହ ଉପୁଜିଛି । ଭାରତୀୟ ଦଳର ଜଣେ ସପୋର୍ଟ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ପରେ ବିପଦରେ ମାଞ୍ଚେଷ୍ଟର ଟେଷ୍ଟ । ସମସ୍ତ ଖେଳାଳିଙ୍କ ଆରଟି ପିସିଆର ଟେଷ୍ଟ କରାଯାଇ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଉ ସମସ୍ତ ଖେଳାଳିଙ୍କ ରିପୋର୍ଟ ଗୁରୁବାର ରାତି ୯ଟାରେ ଆସିବ । ଯଦି ରିପୋର୍ଟରେ ଆଉ କିଛି ଖେଳାଳି ପଜିଟିଭ୍ ଚିହ୍ନଟ ହୁଅନ୍ତି ତେବେ ମାଞ୍ଚେଷ୍ଟର ଟେଷ୍ଟ ବାତିଲ ହୋଇପାରେ । ଯଦି ଖେଳାଳିମାନେ ନେଗେଟିଭ ଚିହ୍ନଟ ହୁଅନ୍ତି ତେବେ ଟେଷ୍ଟ ଉପରେ କୌଣସି ବିପଦ ନାହିଁ ଏବଂ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହେବ । ଅନ୍ୟପଟେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ମାଞ୍ଚେଷ୍ଟର ଟେଷ୍ଟ ହେବ କି ନାହିଁ ତାଙ୍କୁ ଜଣା ନାହିଁ ।

ସୂଚନାଯୋଗ୍ୟ, ଭାରତୀୟ ଦଳର ଜୁନିୟର ଫିଜିଓ ଯୋଗେଶ ପରମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯୋଗେଶଙ୍କ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ ଓ ଫିଲ୍ଡିଂ କୋଚ୍ ଆର ଶ୍ରୀଧର ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଭାରତୀୟ ଦଳରେ ନୂତନ କେସ୍ ଚିହ୍ନଟ ପରେ ଖେଳାଳି ଗୁରୁବାର ଅଭ୍ୟାସ୍ କରି ନାହାନ୍ତି । ସମସ୍ତ ଖେଳାଳିଙ୍କୁ ନିଜ କୋଠରୀରେ ରହିବାକୁ କୁହାଯାଇଛି । ଆରଟି-ପିସିଆର ଟେଷ୍ଟର ରିପୋର୍ଟକୁ ଏବେ ସଭିଙ୍କ ଅପେକ୍ଷା ।

ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେଲେ କିଏ ହେବ ବିଜେତା

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଅଗ୍ରଣୀ ରହିଛି । ଯଦି ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହୁଏ ତେବେ ଭାରତୀୟ ଦଳକୁ ସିରିଜରେ ବିଜୟୀ ଘୋଷିତ କରାଯିବ ନାହିଁ । ଟେଷ୍ଟ ବାତିଲ ହେଲେ ସିରିଜକୁ ଅଧୁରା କୁହାଯିବ ଏବଂ ଉକ୍ତ ଟେଷ୍ଟ ମ୍ୟାଚ୍ ପରେ ଖେଳାଯିବ । ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଏମିତି ଖବର ପ୍ରସାରଣ ହେଉଛି ଯେ, ବିସିସିଆଇ ଚାହୁଁନାହିଁ ଶେଷ ଟେଷ୍ଟ ହେଉ । ଏହାର କାରଣ ଆଇପିଏଲ ଦର୍ଶାଯାଉଥିଲା ଏବଂ ବୋର୍ଡକୁ ଏହା ଉପରେ ସଫେଇ ଦେବାକୁ ପଡିଛି ।

ଅନ୍ୟପଟେ ସୂତ୍ର କହୁଛି ଯେ, ବିସିସିଆଇ ଚାହୁଁଛି ଭାରତୀୟ ଦଳ ମାଞ୍ଚେଷ୍ଟର ଟେଷ୍ଟ ଖେଳୁ କାରଣ ଦଳ ବର୍ତ୍ତମାନ ଚମକ୍ରାର ପ୍ରଦର୍ଶନ କରୁଛି । ଦଳ ଲର୍ଡ୍ସ ଟେଷ୍ଟ ଜିତିବା ପରେ ଓଭାଲରେ ମଧ୍ୟ କମାଲ ପ୍ରଦର୍ଶନ କରିଛି । ଲିଡ୍ସରେ ଦଳ ହାରିଥିଲେ ମଧ୍ୟ ଓଭାଲରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି ।

Get real time updates directly on you device, subscribe now.