fbpx

ମଣିପୁରରେ ଇଣ୍ଟରନେଟ ଉପରୁ ବ୍ୟାନ ହଟିଲା: ଦୁଇମାସ ପରେ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ମେ ମାସ ୩ ତାରିଖରେ ମଣିପୁର ସରକାର ମୋବାଇଲ ଇଣ୍ଟରନେଟ ସେବା ଉପରେ କଟକଣା ଲାଗୁ କରିଥିଲେ । ରାଜ୍ୟରେ ମେଇତେଇ ଓ କୁକୁ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଫଳରେ ୧୪୦ ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନେକ ବାସସ୍ଥାନ ଛାଡ଼ି ଅନ୍ୟତ୍ର ପଳାୟନ କରିଥିଲେ । ତେବେ ଦୁଇ ମାସରୁ ଅଧିକ ସମୟ ଧରି ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିବା ପରେ ଏବେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ଇଣ୍ଟରନେଟ ଉପରେ ଲାଗିଥିବା ବ୍ୟାନକୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ହେବା ଫଳରେ ଗୁରୁତ୍ୱପୂର୍ଣ୍ଣ ଅଫିସ କାର୍ଯ୍ୟ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବା ସହିତ ଘରେ କାର୍ଯ୍ୟ କରୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ତେବେ ରାଜ୍ୟରେ ଇଣ୍ଟରନେଟ କଟକଣା ହଟିଥିଲେ ହେଁ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସର୍ତ୍ତ ରଖାଯାଇଛି । ଜନସାଧାରଣ କେବଳ ପୁରୁଣା ଆଇପି ଜରିଆରେ ଇଣ୍ଟରନେଟ ସେବା ପାଇ ପାରିବେ । ୱାଇଫାଇ ହଟସ୍ପଟସ ପାଇଁ ଅନୁମତି ଦିଆଯାଇ ନାହିଁ । ଏଥିସହିତ ଭିପିଏନ ଓ ସୋସିଆଲ ମିଡ଼ିଆ ୱେବସାଇଟ ବ୍ଲକିଂ, ନିୟମିତ ଲଗିନ ପରିଚୟପତ୍ର ପରିବର୍ତ୍ତନ କରିବା ଉପରେ ରୋକ ଲଗା ଯାଇଛି । ତେବେ ସାରା ରାଜ୍ୟରେ ମୋବାଇଲ ଡାଟା ସେବା ବନ୍ଦ ରହିବ । ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ମିଥ୍ୟା, ଗୁଜବ ବ୍ୟାପିବାର ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.