ଏପ୍ରିଲ ୨୪ ପର୍ଯ୍ୟନ୍ତ ବଢ଼ିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଆମ୍ ଆଦୀମ ପାର୍ଟି (ଆପ) ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ରହିଥିବା ବେଳେ ଏବେ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଛି । ଏପ୍ରିଲ ୨୪ ପର୍ଯ୍ୟନ୍ତ ଜେଲରେ ରହିବେ ମନୀଷ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଗତ ୬ ତାରିଖରେ ଏପ୍ରିଲ ୧୮ ପର୍ଯ୍ୟନ୍ତ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମଦ ଘୋଟାଲା ସମ୍ପୃକ୍ତି ମାମଲାରେ ଗତ ବର୍ଷ ଫେବୃଆରୀ ମାସରେ ସିବିଆଇ ମନୀଷଙ୍କୁ ଗିରଫ କରିଥିଲା । ଫେବୃଆରୀ ୨୮ରେ ମନୀଷ ଦିଲ୍ଲୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ସେହିପରି ଅର୍ଥ ହେରଫେର ମାମଲାରେ ମାର୍ଚ୍ଚ ୯ରେ ମନୀଷଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ସେହିପରି ଆପ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇ ଜେଲରେ ରହିଥିବା ବେଳେ ନିକଟରେ ତାଙ୍କୁ ଜାମିନ ମିଳିଥିଲା ।