ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ପୁଣିଥରେ ସଜା ଶୁଣାଇଛନ୍ତି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସିସୋଦିଆଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ତେଣୁ ତାଙ୍କୁ ଏବେ ତିହାଡ ଜେଲକୁ ପଠାଇ ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ମଦ ଦୁର୍ନୀତି ମାମଲାରେ ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇର ସ୍ପେଶାଲ କୋର୍ଟ । ଏହି ଅଭିଯୋଗରେ ତାଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରାଯାଇଥିଲା ।
ସୋମବାର ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟରେ ହାଜିର କରିବା ପରେ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ଦାବି କରିଥିଲା ସିବିଆଇ ତେବେ ବର୍ତ୍ତମାନ ପୋଲିସ ହେପାଜତପାଇଁ ଦାବି ହେଉନାହିଁ ବୋଲି ସିବିଆଇ କହିଥିଳା । କିନ୍ତୁ ଆଗକୁ ଅଭିଯୁକ୍ତଙ୍କ ଆଚରଣକୁ ଲକ୍ଷ୍ୟ କରି ଏଥିପାଇଁ ମଧ୍ୟ ଦାବି କରାଯାଇପାରେ । ଏପରିକି ସାକ୍ଷୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇପାରେ ବୋଲି ସିବିଆଇ ମତ ଦେଇଛି । ସାକ୍ଷୀମାନଙ୍କୁ ଭୟଭୀତ କରାଯିବା ସହ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ରଙ୍ଗ ଦିଆଯାଉଛି । ତେବେ କୋର୍ଟ ତରଫରୁ ୱରେଣ୍ଟ ମିଳିବା ପରେ ଚଢାଉ କରାଯାଇଥିଲା । ଏହି ମାମଲାରେ ହୋଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ କୋର୍ଟଙ୍କ ଜଣାତରେ ହେଉଛି । କିନ୍ତୁ ଚିନ୍ତାର ବିଷୟ ହେଉଛି ଏହିସବୁ କାର୍ଯ୍ୟାନୁଷ୍ଠାନକୁ ସିବିଆଇର ଅବୈଧ କାର୍ଯ୍ୟକଳାପ ବୋଲି କୁହାଯାଉଛି ।
ସିବିଆଇର ଏହି ଦାବିକୁ ଗ୍ରହଣ କରିବା ସହ ସିସୋଦିଆଙ୍କୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମନୀଷଙ୍କ ଗିରଫକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ । ବିଭିନ୍ନ ରାଜ୍ୟରେ ବିଜେପି ବିରୋଧି ଦଳଗୁଡିକୁ ସୂଚାରୁ ରୂପେ କାମ କରାଇ ନ ଦେବା ପାଇଁ ଏସବୁ କରୁଥିବା ସେ ଅଭିଯୋଗ କରିଛନ୍ତି । କେଜରିୱାଲ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦେଶର ପିତା ସମ୍ମାନ ଆଖ୍ୟା ଦିଆଯାଇଥାଏ । କିନ୍ତୁ କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରି ରାଜ୍ୟ ସରକାର, କର୍ମଚାରୀ ଏବଂ ସାଧାରଣଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ମୋଦିଙ୍କ ଅଭ୍ୟାସ ପାଲଟିଯାଇଛି ।