fbpx

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିସୋଦିଆ ଓ ସତ୍ୟେନ୍ଦ୍ର: CM କେଜ୍ରିୱାଲଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶବାସୀଙ୍କ ନଜର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଉପରେ ରହିଛି । ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ)ର ଜଣଙ୍କ ପରେ ଜଣେ ହେଭିୱେଟ ମନ୍ତ୍ରୀ ବିଭିନ୍ନ ବିବାଦରେ ଛନ୍ଦି ହେଉଛନ୍ତି । ପୂର୍ବରୁ ସତ୍ୟେନ୍ଦ୍ର ଜୈନ ବିବାଦରେ ଛନ୍ଦି ହୋଇ ଜେଲ ଯାଇଥିବା ବେଳେ ନିକଟରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କେନ୍ଦ୍ରୀୟ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଗିରଫ କରିଥିଲା ।

ତେବେ ସୂଚନା ମୁତାବକ, ଆଜି ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଉଭେୟ ମନ୍ତ୍ରୀପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଦୁଇ ନେତା ସେମାନଙ୍କର ଇସ୍ତଫା ପତ୍ର ପଠାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କର ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି । ଦିଲ୍ଲୀ ମଦ ଘୋଟାଲା ମାମଲାରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା । ଗିରଫ ପରେ ଗତ ସୋମବାର ଦିନ ତାଙ୍କୁ ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ତା’ପରେ ତାଙ୍କୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ନେଇଥିଲା ।

ଅନ୍ୟପକ୍ଷରେ ଗତ ବର୍ଷ ମେ ମାସ ୩୦ ତାରିଖଠାରୁ ସତ୍ୟେନ୍ଦ୍ର ଗିରଫ ହୋଇଥିବା ବେଳେ ଏବେ ସେ ତିହାର ଜେଲରେ ରହିଛନ୍ତି । ପୂର୍ବରୁ ସତ୍ୟେନ୍ଦ୍ରଙ୍କ ବିଭାଗର ମନ୍ତ୍ରୀପଦ ସିସୋଦିଆ ସମ୍ଭାଳୁଥିଲେ । ତେବେ ୩୩ଟି ସରକାରୀ ବିଭାଗ ମଧ୍ୟରୁ ୧୮ଟି ବିଭାଗ ସମ୍ଭାଳୁଥିଲେ ସିସୋଦିଆ । ତେଣୁ ତାଙ୍କର ଗିରଫ ପରେ ଏବେ ଆପକୁ ଲାଗିଛି ବଡ଼ ଝଟକା । ତେବେ ଦୁଜଣଙ୍କ ଇସ୍ତଫା ପରେ ଏବେ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ମିଳିବା ସ୍ପଷ୍ଟ ହୋଇଯାଇଛି । ଏହାପୂର୍ବରୁ ଆଜି ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟ ଝଟକା ମିଳିଥିଲା । ନିଜର ଜାମିନ ନେଇ ନିଜର ପକ୍ଷ ଦିଲ୍ଲୀ ହାଇକୋର୍ଟରେ ରଖିବା ପାଇଁ ସୁପ୍ରିମକୋର୍ଟ ସିସୋଦିଆଙ୍କୁ କହିଥିଲେ ।

Get real time updates directly on you device, subscribe now.