ମନମୋହନଙ୍କ ଓଡ଼ିଶା ଲିଙ୍କ: ଓଡ଼ିଆ IPSଙ୍କୁ କରିଥିଲେ ଜ୍ୱାଇଁ
ଦିବଙ୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କର ଓଡ଼ିଶା ସହ ଥିଲା ପାରିବାରିକ ସମ୍ପର୍କ । ତାଙ୍କ ମଝିଆଁ ଝିଅ ହୋଇଛନ୍ତି ଓଡ଼ିଆ ଘରର ବୋହୂ ।
ଓଡ଼ିଶା ଭାସ୍କର: ମଝିଆଁ ଝିଅ ଦାମନ ସିଂ’ଙ୍କ ପାଇଁ ଓଡ଼ିଶା ସହିତ ପାରିବାରିକ ସମ୍ପର୍କ ଗଢ଼ିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂ । ଜଣେ ଓଡ଼ିଆଙ୍କୁ ଜ୍ୱାଇଁ କରିଥିବା ଯୋଗୁ ମନମୋହନଙ୍କ ପରିବାରକୁ ଅଧିକାଂଶ ସମୟ ସେମାନଙ୍କୁ ଭେଟିବା ଲାଗି ଓଡ଼ିଶା ଆସିବାକୁ ପଡ଼େ ।
୧୯୯୧ରେ ଆଇପିଏସ୍ ଅଶୋକ ପଟନାୟକଙ୍କୁ ବିବାହ କରିଥିଲେ ଦାମନ । ଅଶୋକଙ୍କ ଘର କଟକରେ । ସେମାନେ କିନ୍ତୁ ଭୁବନେଶ୍ୱରେ ରୁହନ୍ତି । ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି ।
ଦାମନ ଦିଲ୍ଲୀର ଷ୍ଟେଟ୍ ଷ୍ଟିଫେନ୍ କଲେଜରୁ ଗ୍ରାଜୁଏଶନ୍ କରିଛନ୍ତି । ଦାମନ ଜଣେ ଉଚ୍ଚକୋଟିର ଲେଖିକା । ‘ଦ ଲାଷ୍ଟ ଫ୍ରୋଣ୍ଟିଅର: ପିପୁଲ୍ସ ଆଣ୍ଡ ଫରେଷ୍ଟସ୍ ଅଫ୍ ମିଜୋରାମ’ ଏବଂ ନାଇନ୍ ବାଇ ନାଇନ୍ ନୋବେଲ୍ ବେଶ୍ ଲୋକପ୍ରିୟ । ଦାମନଙ୍କ ସ୍ୱାମୀ ୧୯୮୩ ବ୍ୟାଚ୍ ଗୁଜୁରାଟ କ୍ୟାଡର ଆଇପିଏସ୍ ଅଶୋକ ପଟନାୟକ । । ୨୦୧୬ରେ ଅଶୋକଙ୍କୁ ନ୍ୟାସନାଲ ଇଣ୍ଟେଲିଜେନ୍ସ ଗ୍ରିଡ୍ର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା ।
ମନମୋହନଙ୍କ ସ୍ତ୍ରୀ ଗୁରସରନ କୌର ଓଡ଼ିଶା ଆସିଲେ ଝିଅ ଘରକୁ ଯାଆନ୍ତି । ୨୦୧୨ରେ ମନମୋହନ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଗୁରସରନ ଅଶୋକଙ୍କ ଘରକୁ ଯାଇଥିଲେ । ଯେଉଁ ସମୟରେ ଏହାକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ଓଡ଼ିଆ ଖାଦ୍ୟପେୟ ପ୍ରତି ମଧ୍ୟ ତାଙ୍କର ରୁଚି ରହିଥିଲା ।
୯୨ ବର୍ଷ ବୟସରେ ଦେହାନ୍ତ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି । ଗତ ଗୁରୁବାର ଦିନ ସନ୍ଧ୍ୟାରେ ଗୁରୁତର ଅବସ୍ଥାରେ ମନମୋହନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା । ଯାହା ଭାରତ ପାଇଁ ଏକ ବଡ଼ କ୍ଷତି ବୋଲି ଆମେ କହିପାରିବା ।
ପିଲାବେଳୁ ମା’ଙ୍କୁ ହରେଇଥିଲେ
ଗୁରମୁଖ ସିଂ ଏବଂ ଅମ୍ରିତ କୌରଙ୍କ ପୁଅ ହେଲେ ମନମୋହନ ସିଂ । ୧୯୩୨ ସେପ୍ଟେମ୍ବର ୨୬ରେ ଜନ୍ମଗ୍ରହଣ କରିିଲେ ମନମୋହନ । କମ୍ ବୟସରୁ ସେ ତାଙ୍କ ମା’ଙ୍କୁ ହରେଇଥିଲେ । ଯାହାପରେ ତାଙ୍କ ଲାଳନପାଳନ ଦାୟିତ୍ୱ ନେଇଥିଲେ ଜେଜେମା’ ।
ପ୍ରଫେସରଙ୍କୁ ବାହା ହେଲେ
୧୯୫୮ରେ ମନମୋହନ ଗୁରସରନ କୌରଙ୍କୁ ବିବାହ କରିଥିଲେ । ସେ ପେଶାରେ ଥିଲେ ଜଣେ ଇତିହାସ ପ୍ରଫେସର ଏବଂ ସୁଲେଖିକା । ଦୁହିଁଙ୍କର ୩ ଝିଅ ଅଛନ୍ତି । ସେମାନେ ହେଲେ, ଉପିନ୍ଦର ସିଂ, ଦାମନ ସିଂ ଏବଂ ଅମ୍ରିତ ସିଂ ।
ବଡ଼ ଝିଅ ଉପିନ୍ଦର ସିଂ ମଧ୍ୟ ଇତିହାସ ପ୍ରଫେସର । ଅଶୋକା ୟୁନିଭର୍ସିଟି ଏବଂ ଦିଲ୍ଲୀ ୟୁନିଭର୍ସିଟିରେ ଉପିନ୍ଦର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ଇତିହାସ ସଂଲଗ୍ନ ୬ଟି ବହି ଲେଖିଛନ୍ତି ।
ବିଦେଶରେ ସାନ ଝିଅ
ମନମୋହନଙ୍କ ଦୁଇ ଝିଅ ଭାରତରେ ରହୁଥିବାବେଳେ ସାନ ଝିଅ ଅମ୍ରିତ କୌର ଆମେରିକାରେ ରୁହନ୍ତି । ଆମେରିକା ସିଭିଲ୍ ଲିବର୍ଟି ୟୁନିୟନରେ ସେ ଷ୍ଟାଫ୍ ଆଟର୍ନି ଭାବେ କାର୍ଯ୍ୟ କରୁଛନ୍ତି ।