fbpx

ଦୁଃଖ ଖବର: ମରାଠୀ ଅଭିନେତା ବିଜୟ କଦମଙ୍କ ବିୟୋଗ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବିଶିଷ୍ଟ ମରାଠୀ ଅଭିନେତା ବିଜୟ କଦମଙ୍କ ପରଲୋକ ଘଟିଛି । ମୃତ୍ୟୁ ପୂର୍ବରୁ ବିଜୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କ୍ୟାନସରରେ ପୀଡ଼ିତ ହୋଇ ବିଜୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି । ବିଜୟ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ତାଙ୍କର ଅଚାନକ ବିୟୋଗରେ ଫିଲ୍ମ ଜଗତ ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ, ତାଙ୍କର ଆତ୍ମୀୟସ୍ୱଜନ ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ତାଙ୍କର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ବିଭିନ୍ନ ମହଲରୁ ସାନ୍ତ୍ୱନା ମିଳିଛି ।

ଅଶୀରୁ ନବେ ଦଶକ ମଧ୍ୟରେ ବିଜୟ ଅନେକ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ । ସେ କମେଡ଼ି ଭୂମିକାକୁ ଶାନଦାର ଭାବେ ନିଭାଇ ପାରୁଥିଲେ । ସେ ଥିଏଟରରେ ମଧ୍ୟ କାମ କରିଥିଲେ । କମେଡ଼ି ସହିତ ସେ ଅନେକ ଗମ୍ଭୀର ଭୂମିକାରେ ମଧ୍ୟ ଆସିଥିଲେ । ବିଜୟ ୧୯୮୦ରେ ରଥଚକ୍ର ଓ ଡ୍ୟୁରିଟ ପରି ନାଟକରେ ବଳିଷ୍ଠ ଅଭିନୟ କରି ସେ ମରାଠୀ ଥିଏଟରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଗତ ଦେଢ଼ବର୍ଷ ଧରି ସେ କ୍ୟାନସରରେ ପୀଡ଼ିତ ରହିଥିଲେ । ତେଣୁ ଲଗାତାର ତାଙ୍କର ଚିକିତ୍ସା ଜାରି ରହିଥିଲା । ମାତ୍ର ଆଜି ସକାଳୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ବିଜୟଙ୍କ ପରିବାରରେ ତାଙ୍କର ପତ୍ନୀ ଓ ଏକ ପୁଅ ରହିଛନ୍ତି । ଆଜି ଅନେ୍ଧରୀ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

Get real time updates directly on you device, subscribe now.