fbpx

ବାଲେଶ୍ୱରରେ ନାରୀ ନିର୍ଯାତନା, ଆଖି ବୁଜିଲେ ବଧୂ, ଆଉଜଣେ କଲବଲ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ନାରୀ ନିର୍ଯାତନାର ଦୁଇଟି ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଖଇରା ଥାନା ଅଞ୍ଚଳର ଓ ଅନ୍ୟଟି ବସ୍ତା ଥାନା ଅନ୍ତର୍ଗତ ଘଟିଛି । ଖଇରା ଥାନା ଅଧୀନ ସରସତିଆ ଗାଁର ସସ୍ମିତା ଦାସ ନାମକ ଜଣେ ମହିଳାଙ୍କ ଗୁରୁବାର ରାତିରେ ସନ୍ଦେହଜନକ ମୃତ୍ୟୁ ହୋଇଛି । ସସ୍ମିତାଙ୍କୁ ଶାଶୂଘର ଲୋକେ ମାରିଦେଇଥିବା ନେଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି ବାପଘର ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସସ୍ମିତାଙ୍କ ସ୍ୱାମୀ ନାରାୟଣ ସେଠୀ, ଶଶୁର ଅନନ୍ତ ସେଠୀ ଏବଂ ଶାଶୂ ସଂଯୁକ୍ତା ସେଠୀଙ୍କୁ ଗିରଫ କରିବା ସହ ତଦନ୍ତ ଚଳାଇଛି । ମୃତ ମହିଳା ଜଣକ ହେଲେ ଖଇରା ଥାନା ଅଧିନ ଗଡ଼ପୋଖରୀ ଗ୍ରାମର ଗଦାଧର ଦାସଙ୍କ ୨୫ବର୍ଷୀୟା ଝିଅ । ସେ ୪ବର୍ଷ ପୂର୍ବେ ସରସତିଆ ଗ୍ରାମର ନାରାୟଣ ସେଠୀଙ୍କୁ ବିବାହ କରିଥିଲେ ।

ଅନ୍ୟଏକ ଘଟଣାକ୍ରମରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଭଗିଚକୁରାଇ ଗ୍ରାମରେ ଜଣେ ଅନ୍ତଃସ୍ୱତ୍ତାଙ୍କୁ ତାଙ୍କ ସ୍ୱାମୀ, ଶାଶୂ, ନଣନ୍ଦ ମିଶି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ବସ୍ତା ଥାନା ସମେତ ଏସଡିପିଓ ଏବଂ ଏସପିଙ୍କ ନିକଟରେ ଏଭଳି ଗୁରୁତର ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗ୍ରାମର ଉତ୍ତମ କୁମାର ଦାସଙ୍କ ସହ ବାଲିଆପାଳ ଥାନା ବିଷ୍ଣୁପୁର ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଝିଅ ମଞ୍ଜୁଲତା ଦାସଙ୍କ ୨୦୧୩ରେ ବିବାହ ହୋଇଥିଲା । ସେମାନଙ୍କ ଏକ ପୁତ୍ର ସନ୍ତାନ ରହିଛି । ତେବେ ଅଭିଯୋଗ ଅନୁସାରେ ଉତ୍ତମଙ୍କ ପରକୀୟା ପ୍ରୀତି ଯୋଗୁଁ ବିଭିନ୍ନ ସମୟରେ ମଞ୍ଜୁଲତାଙ୍କୁ ମାଡ଼ ମାରିବା ସହିତ ଅଧିକ ଯୌତୁକ ଦାବିକରି ନିର୍ଯାତନା ଦେଇ ଆସୁଥିଲେ । ଏନେଇ ମଞ୍ଜୁଲତା ବସ୍ତା ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ଏହି କେସ କୋର୍ଟରେ ଥିବାରୁ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା ଏବଂ ଶେଷରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ବସ୍ତା ପୋଲିସ ଗତ ୫ ତାରିଖ ଅଭିଯୁକ୍ତ ଘରେ ଚଢ଼ଉ କରିଥିଲେ ମଧ୍ୟ କାହାକୁ ଧରି ପାରିନଥିଲା । ଖୁବଶୀଘ୍ର ଅଭିଯୁକ୍ତକୁ ଧରିବାର ପ୍ରତିଶ୍ରୁତି ଦେଇଛନ୍ତି ଏସଡିପିଓ ।

Get real time updates directly on you device, subscribe now.