fbpx

ରାମ ମନ୍ଦିର ଉଦଘାଟନ ପୂର୍ବରୁ ମସଜିଦ ନିର୍ମାଣ ହେଉ: ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରର ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ଅନ୍ୟପଟେ ଏବେ ଅଯୋଧ୍ୟାର ଭିତ୍ତିଭୂମି ବଦଳାଇବାକୁ ପ୍ରୟାସ ଚାଲିଛି। କାରଣ ଆସନ୍ତା ମାସରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ହେବ। ତେବେ ଜାନୁଆରୀ ମାସ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରରେ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା କରିବେ। ଯେଉଁଥିପାଇଁ ସେ ଅଯୋଧ୍ୟା ଗସ୍ତ କରିବେ ବୋଲି ସୂଚନା ରହିଛି। ହେଲେ ଏହାକୁ ନେଇ କେଉଁଠି ନା କେଉଁଠି ମୁସଲମାନ ସମ୍ପ୍ରଦାୟ ଅସନ୍ତୁଷ୍ଟ ଥିବା କୁହାଯାଉଛି। କାରଣ ରାମ ମନ୍ଦିର ଉଦଘାଟନ ପୂର୍ବରୁ ଅଲ ଇଣ୍ଡିଆର ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ଏକ ବଡ ଦାବି କରିଛନ୍ତି। ମୌଲାନା କହିଛନ୍ତି ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରସ୍ତାବିତ ଜମିରେ ଏକ ନୂତନ ମସଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଉଚିତ।

ଏହା ସହ ସେ କହିଛନ୍ତି ଯେ, ଅଯୋଧ୍ୟାରେ ଥିବା ରାମ ମନ୍ଦିର ବଦଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦିଆଯାଇଛି, ମାତ୍ର ମସଜିଦ ନିର୍ମାଣ କାର୍ୟ୍ୟ ଏପର୍ୟ୍ୟନ୍ତ ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ମୁସଲମାନମାନେ କେନ୍ଦ୍ରୀୟ ୱାକଫ ବୋର୍ଡ ଉପରେ ବିଶ୍ୱାସ ହରାଇଛନ୍ତି। ଆମେ ଚାହୁଁ କାବା ସରିଫର ଇମାମଙ୍କ ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉ। ତେଣୁ, ଜାନୁଆରୀ ୨୨ରେ, ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ନେବା ପରେ, ନୂତନ ବାବ୍ରି ମସଜିଦ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରାଯିବା ଉଚିତ। ବାବ୍ରି ମସଜିଦ ବଦଳରେ ମାଉଜା ଧାନିପୁର ଜିଲ୍ଲା ଫୈଜାବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ୫ଏକର ଜମି ଦିଆଯାଇଛି। କିନ୍ତୁ, ମସଜିଦ ନିର୍ମାଣ ପାଇଁ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ଏକ ଦୁଃଖର ବିଷୟ, ହେଲେ ଅପରପକ୍ଷରେ ରାମ ମନ୍ଦିର ନିର୍ମାଣ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଜାନୁଆରୀରେ ଏହାର ଉଦଘାଟନ କରିବାକୁ ଯାଉଛନ୍ତି।

ଏଠାରେ କହି ରଖୁଛୁ ଯେ, ମସଜିଦ ଓ ମନ୍ଦିର ନିର୍ମାଣକୁ ନେଇ ଗତ କିଛି ବର୍ଷ ହେବ ଅନେକ ବିବାଦ ଦେଖାଦେଇଥିଲା। ଫଳରେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଏହା ପରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ଅନୁଯାୟୀ ସବୁ କାର୍ୟ୍ୟ ଚାଲୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏହାକୁ ନେଇ ମୁସଲମାନେ ଅସନ୍ତୁଷ୍ଟ ରହିଛନ୍ତି।

Get real time updates directly on you device, subscribe now.