ଏହି ଉପାୟରେ ମହାଲକ୍ଷ୍ମୀଙ୍କୁ କରନ୍ତୁ ପୂଜା, ଘରର ସବୁ ଅଭାବ ଅନଟନ ଦୂର କରିବ, ଜୀବନ ଧନଧାନ୍ୟରେ ଭରିଦେବ

ଓଡିଶା ଭାସ୍କର- ହିନ୍ଦୁ ଶାସ୍ତ୍ର ମୁତାବକ, ମହାଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଗୃହକୁ ତାଙ୍କ ଆଗମନରେ ଧନର ଅଭାବ ଦୂର ହୁଏ ବୋଲି ସମସ୍ତେ ଜାଣନ୍ତି । ହେଲେ ଅନେକଙ୍କୁ ଜଣାନାହିଁ, ମାଆ ଲକ୍ଷ୍ମୀଙ୍କ ପୁଅମାନଙ୍କୁ ଆରାଧନା କଲେ ମଧ୍ୟ ଅର୍ଥାଭାବ ଦୂର ହୋଇଥାଏ । ଏହି ପୁତ୍ରମାନଙ୍କ ନାମ ଦେବସଖା, ଚିକ୍ଲିତ, ଆନନ୍ଦ, କର୍ଦମ, ଶ୍ରୀପ୍ରଦ, ଜାତବେଦ, ଅନୁରାଗ, ସମ୍ବାଦ, ବିଜୟ, ବଲ୍ଲଭ, ମଦ, ହର୍ଷ, ବଳ, ତେଜ, ଦମକ, ସଲିଲ, ଗୁଗ୍ଗୁଲ, କୁରୁଣ୍ଟକ । ଏମାନଙ୍କ ସୁମରଣାରେ ମଧ୍ୟ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଜ୍ୟୋତିଷ ଶାସ୍ତ୍ର ମୁତାବକ, ମହାଲକ୍ଷ୍ମୀ ତିନୋଟି ସ୍ଥାନରେ ବାସ କରିଥାନ୍ତି । ପ୍ରଥମ ସ୍ଥାନ ଦକ୍ଷିଣାବର୍ତ୍ତି ଶଙ୍ଖ । ଏହି ଶଙ୍ଖରେ ବିଷ୍ଣୁଙ୍କ ଅଭିଷେକ କରାଯାଇଥାଏ । ଦ୍ୱିତୀୟ ସ୍ଥାନ ଗଣପତିଙ୍କ ସ୍ଥାପନ ସ୍ଥଳୀ ଓ ତୃତୀୟ ସ୍ଥାନ ମାଆଙ୍କର ୧୮ ପୁତ୍ରଙ୍କ ନାମ ଜପ ।

ତେବେ ଘରକୁ ଲକ୍ଷ୍ମୀଙ୍କ ଆଗମନ ପାଇଁ ଶୁକ୍ରବାର ସଂଧ୍ୟାରେ ସ୍ନାନ କରି ଲାଲ ବା ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ପୂଜା ସ୍ଥାନରେ ଏକ ଚୌକି ଉପରେ ଲାଲ କପଡା ବିଛାନ୍ତୁ । ତା ଉପରେ କେସର ଚନ୍ଦନରେ ଅଷ୍ଟଦଳ କରି ତା ଉପରେ ଏକ ମୁଠା ଚାଉଳ ରଖନ୍ତୁ । ସେହି ଚାଉଳ ଉପରେ ଜଳ ଭରା କଳସ ସ୍ଥାପନ କରନ୍ତୁ । ତା ପାଖରେ ହଳଦୀରେ ପଦ୍ମ ଆଙ୍କି ତା ଉପରେ ଲକ୍ଷ୍ମୀଙ୍କ ଫଟୋ ବା ମୂର୍ତ୍ତି ସ୍ଥାପନ କରନ୍ତୁ । ସେହି ପୂଜା ସ୍ଥାନରେ ଶ୍ରୀ ଯନ୍ତ୍ର ମଧ୍ୟ ରଖନ୍ତୁ । ତା ପରେ ଦୂବ, ବରକୋଳି ପତ୍ର ଓ ଫୁଲ ଦେଇ ମାଆଙ୍କୁ ଆରାଧନା କରିବା ସହ ଧୂପ ଦୀପ ଦିଅନ୍ତୁ ଓ ମିଠା ଭୋଗ ଲଗାନ୍ତୁ ।

ପୂଜା ସ୍ଥାନରେ ବସି ମହାଲକ୍ଷ୍ମୀଙ୍କ ୮ ନାମ ମନ୍ତ୍ର ଜପ କରନ୍ତୁ-

ଓଁ ଆଦ୍ୟାଲକ୍ଷ୍ମୈ ନମଃ, ଓଁ ବିଦ୍ୟାଲକ୍ଷ୍ମୈ ନମଃ, ଓଁ ସୌଭାଗ୍ୟଲକ୍ଷ୍ମୈ ନମଃ, ଓଁ ଅମୃତଲକ୍ଷ୍ମୈ ନମଃ, ଓଁ କାମଲକ୍ଷ୍ମୈ ନମଃ, ଓଁ ସତ୍ୟଲକ୍ଷ୍ମୈ ନମଃ, ଓଁ ଭୋଗଲକ୍ଷ୍ମୈ ନମଃ, ଓଁ ଯୋଗଲକ୍ଷ୍ମୈ ନମଃ ।

ଏହି ନାମକୁ ଜପ କରି ଧୂପ, ଦୀପ ଦେଇ ପୂଜା ସମାପନ କରନ୍ତୁ । ଏପରି କରିବା ଦ୍ୱାରା ସମସ୍ତ ଅର୍ଥାଭାବ ଦୂର ହେବ ତଥା କରିଥିବା ଧାର ଉଧାର ସୁଝିଯିବ ।