fbpx

ପୁଣିଥରେ କ୍ରିକେଟରେ Match Fixing ମାମଲା: ମୁହଁ ଖୋଲିଲେ IPL ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ଜଗତରେ ମ୍ୟାଚ ଫିକ୍ସିଙ୍ଗ ଭଳି ମାମଲା ସାମନାକୁ ଆସିଛି । ଏ ନେଇ IPL ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଶ୍ରୀବତ୍ସ ଗୋସ୍ୱାମୀ ଏକ ବଡ଼ ଦାବି କରିଛନ୍ତି । କୋଲକାତା ଲିଗ୍ କ୍ରିକେଟରେ ମ୍ୟାଚ୍ ଫିକ୍ସିଙ୍ଗ ହୋଇଥିବା ଦାବି କରିଛନ୍ତି ଶ୍ରୀବତ୍ସ ଗୋସ୍ୱାମୀ । କିଛି ଖେଳାଳିଙ୍କ ଆଉଟକୁ ନେଇ ସେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଶ୍ରୀବତ୍ସ ଗୋସ୍ୱାମୀଙ୍କ ଏହି ବୟାନ ପରେ କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କୋଲକାତା ଲିଗ୍ କ୍ରିକେଟରେ ଏଭଳି ମ୍ୟାଚକୁ ନେଇ ଶ୍ରୀବତ୍ସ ଗୋସ୍ୱାମୀ ନିଜ ଅସନ୍ତୋଷ ଜାହିର କରିଛନ୍ତି ।

ମୋହମ୍ମଡନ ସ୍ପୋର୍ଟିଙ୍ଗ ଏବଂ ଟାଉନ୍ କ୍ଲବ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ଫିକ୍ସିଙ୍ଗ କରାଯାଇଥିବା ଦାବି କରିଛନ୍ତି ଶ୍ରୀବତ୍ସ ଗୋସ୍ୱାମୀ । ନିଜ ଫେସବୁକ ପେଜରେ ଏହି ମ୍ୟାଚର କିଛି ଭିଡିଓ ଅପଲୋଡ କରି ଶ୍ରୀବତ୍ସ ଗୋସ୍ୱାମୀ କହିଛନ୍ତି ଯେ, କିଛି ଖେଳାଳିଙ୍କୁ ଯେପରି ଆଉଟ କରାଯାଇଛି, ତାହା ମ୍ୟାଚ ପିକ୍ସିଙ୍ଗ ଭଳି ମନେ ହେଉଛି । ସେ ଅଭିଯୋଗ କରିଛନ୍ତି ଯେ, ମୋହମ୍ମଡନ୍ ସ୍ପୋର୍ଟିଙ୍ଗର ବ୍ୟାଟ୍ସମ୍ୟାନ୍ ଜାଣି ଜାଣି ଟାଉନ୍ କ୍ଲବକୁ ୭ ପଏଣ୍ଟ ଦେବା ପାଇଁ ଆଉଟ ହେଉଥିଲେ । ଏହି କ୍ଲବ ବର୍ତ୍ତମାନର ସିଏବି ସେକ୍ରେଟାରୀ ତଥା ଟିମ ଇଣ୍ଡିଆର ପୂର୍ବତନ ମ୍ୟାନେଜର ଦେବବ୍ରତ ଦାସଙ୍କ ସହ ଜଡ଼ିତ ବୋଲି କହିଛନ୍ତି ଶ୍ରୀବତ୍ସ ।

ଫେସବୁକରେ ଶ୍ରୀବତ୍ସ ଗୋସ୍ୱାମୀ ଲେଖିଛନ୍ତି ଯେ, ଏହା କୋଲକାତା କ୍ଲବ କ୍ରିକେଟରେ ଏକ ସୁପର ଡିଭିଜନ୍ ହୋଇପାରେ । ଦୁଇଟି ବଡ଼ ଟିମ୍ ଏପରି କରୁଛନ୍ତି । ଏମିତି କାହିଁକି ହେଉଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଶ୍ରୀବତ୍ସ ଗୋସ୍ୱାମୀ ଅପଲୋଡ କରିଥିବା ପ୍ରଥମ ଭିଡିଓରେ ଜଣେ ବ୍ୟାଟର ସିଧା ସଳଖ ୱିକେଟକୁ ଯାଉଥିବା ବଲକୁ ଛାଡ଼ି ଦେଇଛନ୍ତି । ଫଳରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି ଖେଳାଳି । ସେହିପରି ଦ୍ୱିତୀୟ ଭିଡିଓରେ ବାମ ହାତୀ ବ୍ୟାଟର ୱାଇଡ ବଲରେ କ୍ରିଜ ବାହାରକୁ ଯାଇ ସଟ୍ କେଳିବାକୁ ଚେଷ୍ଟା କରିଥିଲେ । ଏହାପରେ ସେ ସହଜରେ ଷ୍ଟମ୍ପିଙ୍ଗ ହୋଇ ଆଉଟ ହୋଇଛନ୍ତି । ବର୍ତ୍ତମାନ ଏହି ମାମଲା କ୍ରିକେଟ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Get real time updates directly on you device, subscribe now.