ଚଳିତବର୍ଷ ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ, କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ପାଇଁ ନିଆଗଲା ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ। ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ଭଳି ଅନିୟମିତତାକୁ ପ୍ରତିହତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏଭଳି ବୈଷୟିକ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ରାଜ୍ୟର ସମସ୍ତ‌ ପରୀକ୍ଷା କେନ୍ଦ୍ରରେ କିଭଳି କାର୍ଯ୍ୟକାରୀ ହୋଇପାରିବ ‌ସେଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ବିଭିନ୍ନ ଆଇଟି ଫାର୍ମରୁ ଟେଣ୍ଡର ଆହ୍ବାନ କରିଥିବା ସୂଚନା ମିଳିଛି। ଆସନ୍ତା ଫେବ୍ରୁଆରି ୨୧ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ସାଢ଼େ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାୟ ୩ହଜାର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ‌ଦେ‌ବେ। ମାଟ୍ରିକ୍ ପରୀକ୍ଷା ଭଳି ସର୍ବବୃହତ ପରୀକ୍ଷାରେ ସ୍ବଚ୍ଛତା ଓ ଶୃଙ୍ଖଳା ଆଣିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରମୁଖ ଆଇଟି ‌ଫାର୍ମଠାରୁ ଟେଣ୍ଡର ଆହ୍ବାନ କରାଯିବା ସହିତ ଏହା କେତେ ଫଳପ୍ରଦ ହେବ, ‌ସେ ନେଇ ସମୀକ୍ଷା ଚାଲିଛି। ମାଟ୍ରିକ୍ ପରୀକ୍ଷାର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ହେଲେ ପରୀକ୍ଷା କେନ୍ଦ୍ରରେ କ’ଣ ଚାଲିଛି, ତାହା ବୋର୍ଡ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟାଳୟରେ ଥାଇ ଜାଣିପାରିବେ। ସେହି ଅନୁସାରେ, ଯେଉଁ ପରୀକ୍ଷା କେନ୍ଦ୍ରରେ କିଛି ଅବ୍ୟବସ୍ଥା ବା ଅନିୟମିତା ଘଟିଲା, ବୋର୍ଡ କର୍ତ୍ତୃପକ୍ଷ ତୁରନ୍ତ ତାହାର ପ୍ରତିକାର ବ୍ୟବସ୍ଥା କରିବେ। ଏହାଦ୍ବାରା ପରୀକ୍ଷ‌ାରେ କପି ଅଥବା ପ୍ରଶ୍ନପତ୍ର ଭାଇରାଲ ରୋକିବା ସହଜ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି।

୨୦୨୪ ମାଟ୍ରିକ୍ ପରୀକ୍ଷାରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ୍‌) ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ କ୍ଷେତ୍ରରେ ଏହା କପି ରୋକିବାରେ ସଫଳ ‌ହୋଇଥିଲା। ଚଳିତବ‌ର୍ଷ ନୂଆ କରି ଲାଇଭ୍ ଷ୍ଟ୍ରିମିଙ୍ଗ୍ ବ୍ୟବସ୍ଥା କେତେ ଫଳପ୍ରଦ ହେବ, ସେ ନେଇ ବୋର୍ଡ ପକ୍ଷରୁ ଆଲୋଚନା ଚାଲିଛି।‌