ମାତ୍ର ୯ ଟଙ୍କାରେ ପୁରିବ ପେଟ, ହସ୍ପିଟାଲରେ ଦୂର ହେଲା ଭୋଜନ ଚିନ୍ତା

‘ମା’ କି ରଷୋଇ’ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭୋଜନ ପ୍ରସ୍ତୁତି ପ୍ରିକ୍ରିୟା ଏବଂ ସ୍ୱଚ୍ଛତା ବ୍ୟବସ୍ଥାର କଲେ ସମୀକ୍ଷା ।

ଲକ୍ଷ୍ନୌ: ଏବେ ହସ୍ପିଟାଲରେ ମିଳିବ ପେଟପୁରା ଓ ପୁଷ୍ଟିକର ଭୋଜନ । ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗଙ୍କ ସହାୟତା ନିମନ୍ତେ ସେବା ଅନୁଷ୍ଠାନ ପକ୍ଷରୁ ଏହା ଏକ ନିଆରା ପଦକ୍ଷେପ ।

ମହାକୁମ୍ଭ ମେଳା ଆରମ୍ଭ ହେବା ପୁର୍ବରୁ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ‘ମା’ କି ରଷୋଇ’ ଉଦ୍ଘାଟନ କରିଛନ୍ତି ।

ଉତ୍ତରପ୍ରଦେଶ ସରକାର ଏହାର ଏକ ବିବୃତ୍ତିରେ କହିଛନ୍ତି ଯେ ସ୍ୱରୂପ ରାଣୀ ନେହେରୁ ହସ୍ପିଟାଲରେ ନନ୍ଦି ସେବା ଅନୁଷ୍ଠାନ ଦ୍ୱାରା ଆର୍ଥିକ ଦୁର୍ବଳ ବର୍ଗଙ୍କ ଲୋକଙ୍କ ପାଇଁ ଏହି କମ୍ୟୁନିଟି କିଚେନ୍ ପରିଚାଳିତ ହେଉଛି ।

୯ ଟଙ୍କାରେ କ’ଣ ଖାଇବେ?

ମାତ୍ର ୯ ଟଙ୍କାରେ ଗରିବ ଲୋକ ପେଟପୁରା ଭୋଜନ କରିପାରିବ । ଥାଳିରେ ଭାତ, ରୁଟି(୪), ଡାଲି, ଭଜା/ତରକାରୀ, ସାଲାଡ୍ ଏବଂ ମିଠା ରହିବ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ମୁଖ୍ୟମନ୍ତ୍ରୀ ଯୋଗୀ ହସ୍ପିଟାଲ ଗସ୍ତ କରି ସେଠିକାର ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ଭୋଜନ ପ୍ରସ୍ତୁତି ପ୍ରିକ୍ରିୟା ଏବଂ ସ୍ୱଚ୍ଛତାର ନିରୀକ୍ଷଣ କରିଥିଲେ ।

ଭୋଜନର ଗୁଣବତ୍ତା ଏବଂ ବ୍ୟବସ୍ଥାର ପ୍ରଶଂସା କରିବା ସହ ସେଠାରେ ଉପସ୍ଥିତ ବ୍ୟକ୍ତିଙ୍କୁ ଭୋଜନ ପରସି ଥିଲେ ।

ଦୂର ହେଲା ଚିନ୍ତା: ହସ୍ପିଟାଲକୁ ରୋଗୀ ସହ ଆସୁଥିବା ତାଙ୍କ ପ୍ରିୟଜନଙ୍କ ବର୍ତ୍ତମାନ ଚିନ୍ତାମୁକ୍ତ ।

ବେଳେ ବେଳେ ସେମାନେ ରୋଗୀ ସେବା ଚିନ୍ତାରେ ନିଜ ଖାଦ୍ୟପେୟରେ ଅବହେଳା କରିଥାନ୍ତି । ଯଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥାଏ ।

ପେଟପୁରା ଭୋଜନ କରିବା ପରେ ରୋଗୀର ପ୍ରିୟଜନମାନେ ନିଶ୍ଚିନ୍ତରେ ଶୋଇପାରିବେ ।

ଉଦ୍ଘାଟନୀ ଉତ୍ସବରେ କିଏ ଥିଲେ ସାମିଲ ?

‘ମା’ କି ରଷୋଇ’ ଉଦ୍ଘାଟନୀ ଉତ୍ସବରେ ଶିଳ୍ପ ବିକାଶ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା, ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ, ପ୍ରମୁଖ ସଚିବ(ଗୃହ) ସଞ୍ଜୟ ପ୍ରସାଦ ଏବଂ ଜଗଦଗୁରୁ ମହାମଣ୍ଡଳେଶ୍ୱର ସନ୍ତୋଷ ଦାସ ଉପସ୍ଥିତ ଥିଲେ ।