fbpx

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କିଏ ଏହି ଅନ୍ତରାମ? ଗତ ସନ୍ଧ୍ୟାରେ କାହିଁକି ବାରମ୍ବାର ଫୋନ୍ କରିଥିଲେ?

ବଲାଙ୍ଗୀର(ଓଡ଼ିଶା ଭାସ୍କର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି । ଏହା ହତ୍ୟା ନ ଆତ୍ମହତ୍ୟା ତାହା ଜଣାପଡିନାହିଁ । ତେବେ ଯାହା ସୂଚନା ରହିଛି ବିଳମ୍ବିତ ରାତିରେ ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କର ମୃତ୍ୟୁ ହୋଇଛି । ଲେଡିଜ ହଷ୍ଟେଲ ଝରକାରେ ଝୁଲୁଥିବା ଅବସ୍ଥାରେ ସମ୍ପୃକ୍ତା ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏନେଇ ପରିବାରବର୍ଗ କିମ୍ବା ମେଡିକାଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି । ତେବେ ନିରୁପମା ଝୁଲିପଡିଥିବା ନେଇ କଲେଜ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା । ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରିଥିଲା ପୋଲିସ ।

ଗତ ସନ୍ଧ୍ୟାରେ ପାଖ ରୁମ୍ରେ ବସି ଖୁସିରେ ଗପସପ କରି ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିବା ଛାତ୍ରୀଜଣକ ହଠାତ କାହିଁକି ଏପରି ଚରମ ନିଷ୍ପତି ନେଲେ ତାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଅନ୍ୟପଟେ ମୃତ ଦେହକୁ ଉଦ୍ଧାର କରିବା ସମୟରେ ସେ ଆଣ୍ଠୁମାଡ଼ି ବସିଥିଲେ ତେଣୁ ଏହା ହତ୍ୟା ଦିଗକୁ ଇସାରା କରୁଛି । ହେଲେ କିଛି ସ୍ପଷ୍ଟ ରୂପେ ସାମନାକୁ ଆସିନାହିଁ । ତେବେ ଗତକାଲି ରାତିରେ ମେଡିକାଲ କଲେଜର ଲେଡିଜ ହଷ୍ଟେଲ ଝରକାରେ ଛାତ୍ରୀଜଣକ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା । ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପରିବାର ଲୋକେ କିମ୍ବା କଲେଜ କର୍ତ୍ତୃପକ୍ଷ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲୁନାହାନ୍ତି । ନିରୁପମା ଜଣେ ମେଧାବୀ ଛାତ୍ରୀ ଥିବାବେଳେ ତାଙ୍କର ମୃତ୍ୟୁ କିପରି ହେଲା, ତାହା ଏବେ ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ପରିବାର ଲୋକେ କହିଛନ୍ତି ଯେ, ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି କିମ୍ବା ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି ।

ଏହା ସହ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ବିବିଏମସି ଡିନ୍ ସବିତା ମହାପାତ୍ର । ସେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ସନ୍ଦେହଜନକ କହିଛନ୍ତି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ‘ମୃତ ଛାତ୍ରୀଙ୍କ ସହପାଠୀଙ୍କୁ ବାହାରୁ କେହି ଜଣେ ଫୋନ୍ କରିଥିଲେ । ଫୋନ୍ କରି ସେ କେମିତି ଅଛି ଦେଖି ନିଅନ୍ତୁ କହିଥିଲେ । ଏହାପରେ ସହପାଠୀମାନେ ରୁମରେ ମୃତଦେହ ଦେଖିଥିଲେ । ରୁମରେ ଏକ ପ୍ରକାର କେମିକାଲ ଗନ୍ଧ ମଧ୍ୟ ଆସୁଥିଲା । ଏସବୁ ରହସ୍ୟଜନକ ଲାଗୁଛି, ପୋଲିସ ତଦନ୍ତ କରି ସତ୍ୟାସତ୍ୟ ବାହାର କରୁ । ଏବେ ପରିବାର ଲୋକଙ୍କ ପାଖରେ ମୃତ ଛାତ୍ରୀଙ୍କ ମୋବାଇଲ ଅଛି । ମୃତ ଛାତ୍ରୀ ରାତି ପ୍ରାୟ ୧୧ଟା ୪୦ ଯାଏଁ ତାଙ୍କ ଉଭଣୀ ସହ ଚାଟ୍ କରିଥିବା ଜଣାପଡିଛି ।’

ତେବେ ଏନେଇ ମୃତ ଛାତ୍ରୀଙ୍କ ବାପା ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ମୃତ୍ୟୁ ପଛରେ ତା ପାଖରେ ରହୁଥିବା ସାଙ୍ଗ ମାନଙ୍କ ଉପରେ ସନ୍ଦେହ ରହିଛି । ଏଥିସହିତ ସେ କହିଛନ୍ତି ଯେ, ଏହା ପଛରେ ପ୍ରେମ ସମ୍ପର୍କ ଥାଇପାରେ । ଛାତ୍ରୀଙ୍କ ବଡ଼ ଭାଇଙ୍କ ବୟାନ ଅନୁସାରେ, ଗତ ସନ୍ଧ୍ୟାରେ ନିରୁପମାଙ୍କ ଜଣେ ଘନିଷ୍ଠ ବନ୍ଧୁ ଅନ୍ତରାମ ମିଶ୍ରଙ୍କ ଫୋନ ଆସିଥିଲା । ସେ ତାକୁ ଏକାଧିକ ଥର କଲ୍ କରିଥିଲେ । ନିରୁପମା ଫୋନ୍ ନ ଉଠାଇବାରୁ ତାଙ୍କ ସହପାଠୀଙ୍କ ପାଖକୁ ଫୋନ୍ ଆସିଥିଲା । ତେବେ ଏହି ମାମଲା ପ୍ରେମ ସମ୍ପର୍କ ଆଡ଼କୁ ଇସାରା କରୁଛି । ବୋଧହୁଏ ଅନ୍ତରାମ ନାମଧାରୀ ଯୁବକଙ୍କ ସହିତ କୌଣସି ଝଗଡ଼ା ହୋଇଥାଇପାରେ, ଯେଉଁଥିପାଇଁ ନିରୁପମା ଆତ୍ମହତ୍ୟା କରିଥାଇ ପାରନ୍ତି ।

ସୂଚନା ଅନୁସାରେ, ଅନ୍ତରାମ ମିଶ୍ର ହେଉଛି ନିରୁପମାଙ୍କର ଘନିଷ୍ଠ ବନ୍ଧୁ । ନିରୁପମା ଓ ଅନ୍ତରାମ ଦୁହେଁ ଫୋନ୍ ଯୋଗେ ଅଧିକାଂଶ ସମୟ କଥା ହୋଇଥାନ୍ତି । ଏଥିସହିତ ମୃତ୍ୟୁ ପୂର୍ବ ରାତିରେ ବି ସେ ନିରୁପମାଙ୍କୁ କଲ୍ କରିଥିଲା । ତେଣୁ ଏହା ପଛରେ ତାର ବି ହାତ ଥାଇପାରେ ବୋଲି ନିରୁପମାଙ୍କ ଭାଇ କହିଛନ୍ତି ।

 

Get real time updates directly on you device, subscribe now.