ମଣିଷ ମଳରୁ ଔଷଧ, କ୍ୟାନସର ଏବଂ ଲିଭର ଭଳି ରୋଗରୁ ରକ୍ଷା କରେ ଏହି ଔଷଧ

ମଣିଷ ମଳରେ ତିଆରି ହେଉଥିବା ଏହି ଔଷଧ କ୍ୟାନସର ଏବଂ ଲିଭର ଭଳି ରୋଗକୁ ଭଲ କରିଥାଏ

ଓଡିଶା ଭାସ୍କର: ମଣିଷ ମଳରୁ ଔଷଧ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନାଁ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବୈଜ୍ଞାନିକମାନେ ବିଶ୍ଵର ବିକାଶ ପାଇଁ ଅନେକ ଦିଗ ଉପରେ ଗବେଷଣା କରିଥାନ୍ତି, କିନ୍ତୁ କେତେକ ସମୟରେ ଏଭଳି ଅଦ୍ଭୁତ ଗବେଷଣା ହୋଇଥାଏ ଯେ, ଯାହାକୁ ଶୁଣିଲା ପରେ ବହୁତ ଆଶ୍ଚର୍ଯ୍ୟ ଲାଗେ।

କ୍ୟାନସର ଏବଂ ଲିଭର ଭଳି ରୋଗରୁ ରକ୍ଷା କରେ ଏହି ଔଷଧ: ସେହିପରି ଏକ ଅଦ୍ଭୁତ ଗବେଷଣା ହେଉଛି ମଣିଷ ମଳରୁ ଔଷଧ ତିଆରି। ଯାହା ଅନେକ ଗୁଡିଏ ରୋଗକୁ ଦୂର କରିବାରେ ସକ୍ଷମ ହୋଇଛି। ‘ପୁପ ପିଲ୍ସ’ ବା ‘କ୍ରାପସୁଲ’, ଏହି ଛୋଟ କ୍ୟାପସୁଲଗୁଡ଼ିକ ଏକ ସୁସ୍ଥ ବ୍ୟକ୍ତିର ମଳରେ ପରିପୂର୍ଣ୍ଣ। ଯାହା କ୍ୟାନସର ଏବଂ ଲିଭର ଭଳି ଗମ୍ଭୀର ରୋଗର ଚିକିତ୍ସାରେ ଆଶାଜନକ ଫଳାଫଳ ଦେଖାଉଛି।

ଏବେ ବ୍ରିଟେନର ଗବେଷକମାନେ ଅନୁସନ୍ଧାନ କରି କହିଛନ୍ତି ଯେ, ଏହି କ୍ୟାପସୁଲରେ ଭର୍ତ୍ତି ହୋଇଥିବା ଶୁଖିଲା ମଳ ରୋଗୀଙ୍କ ଅନ୍ତନଳୀରେ ଲୁଚି ରହିଥିବା ଆଣ୍ଟିବାୟୋଟିକ୍-ପ୍ରତିରୋଧୀ ଜୀବାଣୁକୁ ଦୂର କରେ। ଯାହାର ଅର୍ଥ ହେଉଛି ଅନ୍ୟ କାହାର ମଳ ଆପଣଙ୍କୁ ଗମ୍ଭୀର ରୋଗରୁ ରକ୍ଷା କରିପାରିବ।

ଗବେଷଣାରୁ କଣ ଜଣାପଡିଲା? ଏହି ଗବେଷଣାରେ 41 ଜଣ ରୋଗୀ ସାମିଲ ଥିଲେ, ଯେଉଁମାନେ ଏହି ଔଷଧ ଖାଇ ସଂକ୍ରମଣରୁ ସୁସ୍ଥ ହୋଇଥିଲେ। ସେମାନଙ୍କୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା।

ପ୍ରଥମ ଗୋଷ୍ଠୀକୁ ତିନି ଦିନ ମଧ୍ୟରେ ଏହି ମଳ ବଟିକାର ତିନୋଟି ଡୋଜ୍ ଦିଆଯାଇଥିଲା, ଯେତେବେଳେ ଦ୍ୱିତୀୟ ଗୋଷ୍ଠୀକୁ ପ୍ଲେସିବୋ ବା ନକଲି ଔଷଧ ଦିଆଯାଇଥିଲା। ଗୋଟିଏ ମାସ ପରେ ପରୀକ୍ଷା କଲାରୁ ଜଣାପଡିଲା ଯେ ପ୍ରକୃତ ମଳ ବଟିକା ଦିଆଯାଇଥିବା ରୋଗୀଙ୍କ ଅନ୍ତନଳୀରେ ତାହା ଭଲ ପ୍ରଭାବ ପକାଇଛି।

ମାଇକ୍ରୋବାୟୋମ୍ ଗବେଷଣା ବୈଜ୍ଞାନିକ କ୍ରିସି ସେରଗାକି ବିବିସିକୁ କହିଛନ୍ତି ଯେ, ଯଦି ଭବିଷ୍ୟତର ପରୀକ୍ଷଣରେ ମଳ ବଟିକା ପ୍ରଭାବଶାଳୀ ପ୍ରମାଣିତ ହୁଏ, ତେବେ ମଳ ମାଇକ୍ରୋବାୟୋଟାର ଟ୍ରାନ୍ସପ୍ଲାଣ୍ଟ ଭବିଷ୍ୟତର ନୂତନ ଔଷଧ ହୋଇପାରିବ।