fbpx

ଭାରତକୁ ଝଟକା, ମେହୁଲ ଚୋକସିର ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ମହା ଦୁର୍ନୀତିର ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିର ପ୍ରତ୍ୟର୍ପଣ ପାଇଁ ଭାରତର ପ୍ରୟାସକୁ ଝଟକା ଲାଗିଛି । ଚୋକସିର ପ୍ରତ୍ୟର୍ପଣ ଉପରେ ଡୋମିନିକା କୋର୍ଟ ରୋକ୍ ଲଗାଇଛନ୍ତି । କାରଣ ଚୋକସିଙ୍କ ଓକିଲ ସେଠାରେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ ଦାଖଲ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ତାଙ୍କ ମହକିଲଙ୍କୁ ଆଇନଗତ ଅଧିକାରରୁ ବଂଚିତ କରାଯାଇଥିଲା ଓ ଆରମ୍ଭରୁ ନିଜ ଓକିଲଙ୍କ ସହ ଭେଟିବାକୁ ଅନୁମତି ଦିଆଯାଇନଥିଲା । ଏହି ମାମଲାରେ ଆଜି ପୁଣି ଥରେ ଶୁଣାଣି ହେବ । କୋର୍ଟ ମେ ୨୮ ସ୍ଥାନୀୟ ସମୟ ଅନୁସାରେ ୯ଟାରେ ମାମଲାର ଶୁଣାଣି କରିବେ ।

ଡୋମିନିକାର ଲିଙ୍କନ କାର୍ବେଟର କାର୍ଯ୍ୟକାରୀ ପୋଲିସ ଅଧିକାରୀ କହିଛନ୍ତି, ପିଏନବି ମହାଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଭାରତ ନୁହେଁ ବରଂ ଆଂଟିଗୁଆ ପଠାଯିବ । ବର୍ତମାନ ଚୋକସି ଡୋମିନିକା ପୋଲିସ ହେପାଜତରେ ଅଛନ୍ତି । ପୋଲିସ ତାଙ୍କୁ ପଚରା ଉଚୁରା କରୁଛନ୍ତି । ସୂଚନାଯୋଗ୍ୟ, ବନ୍ଦୀ କରିବା କିମ୍ବା କଷ୍ଟଡିରେ ନେବା ବିରୋଧରେ ନାଗରିକଙ୍କୁ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ କରିବାର ଅଧିକାର ରହିଛି । ଏଥିରେ ନାଗରିକଙ୍କୁ ନିଜ ହିିତ ରକ୍ଷା ପାଇଁ କୋର୍ଟ ଅଧିକାର ପ୍ରଦାନ କରିଛନ୍ତି । କିନ୍ତୁ ବ୍ୟକ୍ତିଙ୍କୁ ସାବ୍ୟସ୍ତ କରିବାକୁ ପଡିବ ଯେ, ସେ କୌଣସି ବେଆଇନ କାମ କରି ନାହାନ୍ତି ।

ଡୋମିନିକାରେ ମେହୁଲ ଚୋକସିଙ୍କ ଓକିଲ ୱେନ ମାର୍ଶ କହିଛନ୍ତି ଯେ, ଏହା ନ୍ୟାୟର ଉପହାସ । କାରଣ ଚୌକସିଙ୍କୁ କେସ ଲଢିବା ପାଇଁ ଓକିଲ ଦେବାର ଆଇନଗତ ଅଧିକାର ରହିଛି । ସେ ଆଂଟିଗୁଆ ହେଉ କିମ୍ବା ଡୋମିନିକା ହେଉ । ସେ କହିଛନ୍ତି ଯେ, ଚୋକସିଙ୍କୁ ଡୋମିନିକାରେ ନିର୍ମମ ମାଡ ମରାଯାଇଥିଲା । ତାଙ୍କ ଆଖିକୁ ଆଘାତ ଲାଗିଛି ଏବଂ ତାଙ୍କ ଶରୀରରେ ଆଘାତର ଅନେକ ଚିହ୍ନ ରହିଛି । ତାଙ୍କୁ ଆଂଟିଗୁଆର ଜଲି ହାର୍ବରରେ ଅପହରଣ କରାଯାଇଥିଲା ଏବଂ ଡୋମିନିକା ଅଣା ଯାଇଥିଲା ।

Get real time updates directly on you device, subscribe now.