fbpx

ଦେଢ଼ମାସ ପରେ ମହାମାରୀ କରୋନାରୁ ମିଳିଲା ବଡ଼ ଆଶ୍ୱସ୍ତି, ଦେଶରେ ସୁସ୍ଥ ହେଲେ ଅଢ଼େଇ ଲକ୍ଷ ବ୍ୟକ୍ତି

ଗତ ୧୫ ଦିନ ମଧ୍ୟରେ କ୍ରମାଗତ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ନୂଆ ସଂକ୍ରମିତଙ୍କ ଠାରୁ ଅଧିକ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ କରୋନା ସଂକ୍ରମଣ ହାର କମିବା ଦେଖାଯାଇଛି । ଏହା ମଧ୍ୟରେ ମିଳିଛି ଏକ ବଡ଼ ଖୁସି ଖବର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ ସଂକ୍ରମଣ ସଂଖ୍ୟା ଜଣାପଡ଼ିଥିବାବେଳେ ଗତ ପ୍ରାୟ ଦେଢ଼ମାସ (୪୪ଦିନ) ମଧ୍ୟରେ ଏହି ସଂଖ୍ୟା ସବୁଠୁ କମ୍ ବୋଲି ଜଣାପଡ଼ିଛି । ନୂଆ ସଂକ୍ରମିତଙ୍କ ସଂଖ୍ୟା ଏପରି ବିଚାର କଲେ କମ୍ ନୁହେଁ, କିନ୍ତୁ ବିଗତ ଦିନଗୁଡ଼ିକ ତୁଳନାରେ ଏହା ବଡ଼ ଆଶ୍ୱସ୍ତି ବୋଲି ବିଶେଷଜ୍ଞ ମହଲରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟାର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ କେସ୍ ୨.୭୫ କୋଟିରେ ପହଞ୍ଚିଛି । ସେହିପରି ସଦ୍ୟତମ ରିପୋର୍ଟ ଅନୁସାରେ ୩ ଲକ୍ଷ ୧୫ ହଜାର ୨୩୫ ଜଣଙ୍କ ପ୍ରାଣ ନେଇସାରିଲାଣି ଘାତକ କରୋନା । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୪୫୯ ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ଦୂର ହୋଇନି । ଗୋଟିଏ ଦିନ ମଧ୍ୟରେ ୩,୬୬୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁସାରେ ଗତ ୧୫ ଦିନ ମଧ୍ୟରେ କ୍ରମାଗତ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ନୂଆ ସଂକ୍ରମିତଙ୍କ ଠାରୁ ଅଧିକ ରହିଛି । ଗତ ଦିନକ ମଧ୍ୟରେ ମୋଟ ଆକ୍ଟିଭ୍ କେସ୍ ୭୬,୭୫୫ରୁ କମ୍ ରହିଛି । ଏଥିସହ ଦେଶରେ ମୋଟ ଆକ୍ଟିଭ୍ ସଂଖ୍ୟା ୨୩ ଲକ୍ଷ ୪୩ ହଜାର ୧୫୨ ରହିଛି । ସେହିପରି ଦେଶରେ ୨ କୋଟି ୪୮ ଲକ୍ଷ ୯୩ ହଜାର  ୪୧୦ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହେଲେଣି । ଏହି ସବୁ ଦୃଷ୍ଟିରୁ ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗରେ ନିୟନ୍ତ୍ରଣ ଆସିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଅନୁରୂପ ଭାବେ ଦେଶରେ କରୋନାରୁ ସୁସ୍ଥ ହାର ୯୦ ପ୍ରତିଶତରୁ ଅଧିକ ହୋଇଛି । ସମ୍ପ୍ରତି ଏହି ହାର ୯୦.୩୪ ପ୍ରତିଶତ ରହିଥିବା ବେଳେ କରୋନା ପଜିଟିଭ୍ ରେଟ୍ ୧୦.୪୨ ପ୍ରତିଶତ ରହିଛି । ସେହିପରି ଦୈନିକ ସଂକ୍ରମିତ ହାର ପ୍ରାୟ ୯ ପ୍ରତିଶତ ଥିବା ଜଣାପଡ଼ିଛି । ଗତ ୪ ଦିନ ହେଲା ଏହି ହାର ୧୦ ପ୍ରତିଶତରୁ କମ୍ ରହିଆସିଛି । ଅନ୍ୟପକ୍ଷରେ ଦେଶରେ ଅଦ୍ୟାବଧି ୨୦.୫୭ କୋଟି ଲୋକ ଟିକା ନେଇସାରିଲେଣି । ଏଥିସହ ଦୈନିକ କରୋନା ପରୀକ୍ଷଣ ପ୍ରାୟ ୨୦ ଲକ୍ଷ ରହିଛି । କ୍ରମାଗତ ପରୀକ୍ଷଣ ଓ ଟିକାକରଣ ଦ୍ୱାରା କରୋନା ସଂକ୍ରମଣରେ ନିୟନ୍ତ୍ରଣ ଆସିଥିବା କୁହାଯାଉଛି ।

Get real time updates directly on you device, subscribe now.