fbpx
BSKY SKY
BSKY SKY

ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀଙ୍କୁ ସମ୍ମାନଜନକ ‘ଫ୍ରିଡମ୍ ଅଫ୍ ଦି ସିଟି ଅଫ୍ ଲଣ୍ଡନ’ ପୁରସ୍କାର, ୟୁକେ ଏସିଆନ୍ ଫିଲ୍ମ ମହୋତ୍ସବରେ ହେବେ ସମ୍ମାନିତ

BSKY

ନୂଆଦିଲ୍ଲୀ: ବଲିଉଡ୍ ଇଣ୍ଡଷ୍ଟ୍ରିର ୯୦ ଦଶକର ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ । ସେ ନିଜ ବଳିଷ୍ଠ ଅଭିନୟ ପାଇଁ ବେଶ ପରିଚିତ । ତାଙ୍କ ନିକ୍ଷୁଣ ଅଭିନୟର ଜାଦୁ ଏବେ ବି ଦର୍ଶକ ଭୁଲି ପାରିନାହାଁନ୍ତି । ଚଳିତ ବର୍ଷ ୟୁକେ ଏସିଆନ୍ ଫିଲ୍ମ ମହୋତ୍ସବରେ ଶବାନାଙ୍କୁ ସମ୍ମାନଜନକ ‘ଫ୍ରିଡମ୍ ଅଫ୍ ଦି ସିଟି ଅଫ୍ ଲଣ୍ଡନ’ ପୁରସ୍କାର ପ୍ରଦାନ କରାଯିବ । ଇଣ୍ଡଷ୍ଟ୍ରିରେ ତାଙ୍କର ୫୦ ବର୍ଷ ପୁର୍ତ୍ତି ଅବସରରେ ତାଙ୍କୁ ଏହା ପ୍ରଦାନ କରାଯିବ । ଏହା ସହ ଭାରତୀୟ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ଏବଂ ମହିଳାଙ୍କ ଅଧିକାର ପାଇଁ ଜଣେ ପ୍ରଚାରକ ଭାବେ କାମ କରିଥିବା ଯୋଗୁଁ ସିଟି ଅଫ୍ ଲଣ୍ଡନ କର୍ପୋରେସନ୍ ଦ୍ୱାରା ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବ । ତେବେ ଆସନ୍ତା ମେ’ ୧୦ ତାରିଖରେ ଲଣ୍ଡନର ଗିଲ୍ଡ ହଲରେ ଏହି ସମାରୋହ ଅନୁଷ୍ଠିତ ହେବ ।

ଅପରପକ୍ଷରେ ଏତେ ସମ୍ମାନଜନକ ପୁରସ୍କାର ପାଇବା ନେଇ ଶବାନା ଆଜ୍ମୀ ପ୍ରତିକ୍ରିୟାରେ କହିଛନ୍ତି, ‘ଏହା ନିଶ୍ଚିତ ଭାବେ ଏକ ଗୌରବର କଥା । ମୋତେ ମିଳିଥିବା ରାଷ୍ଟ୍ରିୟ ପୁରସ୍କାର ଭଳି ଏହା ବେଶ ଗୁରୁତ୍ୱପୂର୍ଣ୍ଣ । ଆଗକୁ ମଧ୍ୟ ସିନେମାର କାହାଣୀ ମାଧ୍ୟମରେ ସମାଜିକ ପ୍ରସଙ୍ଗ ସଂପର୍କରେ ନିଜର ସ୍ୱର ଉଠାଇବାକୁ ଚାହିଁବି ।’ କହିରଖୁଛୁ ସାର୍ବଜନୀନ ଜୀବନରେ ଉକ୍ରୃଷ୍ଟ ଯୋଗଦାନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ‘ଫ୍ରିଡମ ଅଫ୍ ଦି ସିଟି ଅଫ୍ ଲଣ୍ଡନ’ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଶବାନା ନିର୍ଦେଶକ ଶ୍ୟାମ୍ ବେନେଗାଲଙ୍କ ୧୯୭୪ରେ ମୁକ୍ତିଲାଭ କରିଥିବା ଅଙ୍କୁର ଫିଲ୍ମ ମାଧ୍ୟମରେ ଡେବୁ୍ୟ କରିଥିଲେ । ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ କ୍ରମାଗତ ଭାବେ ୩ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ଫିଲ୍ମ ଅର୍ଥ, ଖଣ୍ଡର ଏବଂ ପାର୍ ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ଶେଷ ଥର ପାଇଁ ତାଙ୍କୁ କରନ୍ ଜୋହାରଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍ କାହାନୀ’ରେ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.