ମହିଳାଙ୍କ ପରି ପୁରଷଙ୍କୁ ମଧ୍ୟ ହୁଏ ସ୍ତନ କର୍କଟ ରୋଗ: ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ

ଓଡ଼ିଶା ଭାସ୍କର: ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ (Breast cancer) ରୋଗ ହେବାର ଦେଖାଦେଇଥାଏ । ମହିଳାମାନେ ଏହି ରୋଗରେ ଶୀକାର ହୋଇଥିବାର ଅନେକ ଉଦାହରଣ ରହିଛି । କିନ୍ତୁ ପୁରୁଷଙ୍କୁ ମଧ୍ୟ କଣ ସ୍ତନ କର୍କଟ ରୋଗ ହୁଏ? ଏହା କେତେଦୂର ସତ? କର୍କଟରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପୁରୁଷ ମଧ୍ୟ ଏହି ରୋଗର ଶୀକାର ହୋଇପାରନ୍ତି ଏବଂ ଏହି କ୍ଷେତ୍ରରେ ସଚେତନତା ନହେବା ଖୁବ୍ ଅଧିକ ପରିଲକ୍ଷିତ ହୋଇଥାଏ । ଏହାକୁ ନେଇ କର୍କଟ ବିଶେଷଜ୍ଞ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ସେ କଣ କହୁଛନ୍ତି ଏ ସମ୍ପର୍କରେ:

Male Breast Cancer Statistics and Research | BCRF

 

ପୁରୁଷଙ୍କୁ ମଧ୍ୟ ସ୍ତନ କର୍କଟ ହୁଏ କି?
ହଁ, ମହିଳାଙ୍କ ଭଳି ପୁରୁଷ ମଧ୍ୟ ସ୍ତନ କର୍କଟର ଶୀକାର ହୁଅନ୍ତି । ତେବେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ କ୍ଷେତ୍ରରେ ଏହା ସ୍ତନର ଖୁବ୍ କମ୍ କୋଷକୁ ଆକ୍ରାନ୍ତ କରିଥାଏ । କିନ୍ତୁ ଶରୀର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ଭଳି ଏହା ଧୀରେ ଧୀରେ ସେଠାରେ ବୃଦ୍ଧି ପାଇଥାଏ । ଏହା ସାଧାରଣତଃ ଆକ୍ରାନ୍ତଙ୍କୁ ଧରାପଡ଼ିନଥାଏ ।

ପୁରୁଷଙ୍କୁ ସ୍ତନ କର୍କଟ ଆଶଙ୍କା କେତେ?
ସମସ୍ତ ସ୍ତନ କର୍କଟ ମଧ୍ୟରେ ପୁରୁଷଙ୍କ କ୍ଷେତ୍ରରେ ଏହା ୧ ପ୍ରତିଶତ । କିନ୍ତୁ ସେହି ୧%ଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା କରିବା ଆବଶ୍ୟକ ରହିଛି । ନଚେତ୍ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ଲକ୍ଷଣ ସବୁ କଣ?
ସ୍ତନାଞ୍ଚଳରେ କ୍ଷୁଦ୍ର ମାଂସ ପିଣ୍ଡୁଳା ଦେଖାଦେବା ଓ ଧୀରେଧୀରେ ତାହା ବଢ଼ିବା ସହ ଅଲସର୍ ଆଡ଼କୁ ଗତି କରି ଦୁର୍ଗନ୍ଧ ହୋଇଥାଏ । ଏହା ହିଁ ସାଧାରଣତଃ ପୁରୁଷଙ୍କୁ ବ୍ରେଷ୍ଟ୍ କ୍ୟାନ୍ସର୍ ହେବାର ପ୍ରାଥମିକ ଲକ୍ଷଣ । ଯେକୌଣସି ଲକ୍ଷଣ ଜାଣିବା କ୍ଷଣି ତୁରନ୍ତ ଚିକିତ୍ସା କରିବା ସର୍ବୋତ୍ତମ ଉପାୟ ।

ଏହି ରୋଗ କଣ ବଂଶାନୁକ୍ରମିକ?
ଯଦିଓ ଏହା ବଂଶାନୁକ୍ରମିକ ରୋଗ ନୁହେଁ, ତେବେ ପୂର୍ବରୁ ବଂଶରେ କେହି ସ୍ତନ କର୍କଟରେ ଆକ୍ରାନ୍ତ ଥିଲେ ଜଣଙ୍କ କ୍ଷେତ୍ରରେ ଏହି ରୋଗ ଉତ୍ପନ୍ନ ହେବାର ଆଶଂକା ରହିଥାଏ । କିନ୍ତୁ ଜଣଙ୍କ ମା’ ଯଦି ସ୍ତନ କର୍କଟରେ ଶୀକାର ହୋଇଥିବେ ତେବେ ସମ୍ପୃକ୍ତ ପୁରୁଷଙ୍କୁ ଏହି ରୋଗ ଆକ୍ରାନ୍ତ ହେବାର ଅଧିକ ଆଶଂକା ରହିଥାଏ । ମୋଟାମୋଟି ଭାବେ ଏଥିପ୍ରତି ଜଣେ ଭୟଭୀତ ନହୋଇ ସତର୍କ ରହିବା ବିଧେୟ ।

ଆଉ କେଉଁ କାରଣ ଦାୟୀ?
ପାରିବାରିକ ଇତିହାସକୁ ବାଦ ଦେଲେ ବ୍ରେଷ୍ଟ୍ କ୍ୟାନ୍ସର ଜିନ୍ (ବିଆରସିଏ) ମ୍ୟୁଟେସନ୍ ପଜିଟିଭ୍ ଥିବା ବ୍ୟକ୍ତିବିଶେଷ ଏଥିପ୍ରତି ଅଧିକ ସତର୍କ ରହିବା ଦରକାର । କାରଣ ଏଭଳି କ୍ଷେତ୍ରରେ କ୍ୟାନ୍ସର୍ ବୃଦ୍ଧି କରିବାର ଆଶଂକା ଅଧିକ ରହିଥାଏ । କିନ୍ତୁ ଏଭଳି ମ୍ୟୁଟେସନ୍ ବ୍ଲଡ୍ ଟେଷ୍ଟ୍ ଦ୍ୱାରା ହିଁ ଜଣାପଡ଼ିଥାଏ ଏବଂ ଖୁୁବ୍ ବିରଳ ଦେଖାଦେଇଥାଏ ।

କେଉଁମାନଙ୍କ ପାଇଁ ଏହା ଅଧିକ ବିପଦ?
ମଧ୍ୟମ ବୟସ ବର୍ଗର ବ୍ୟକ୍ତି ବିଶେଷ ଯଥା ୪୦ରୁ ୬୦ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେବାର ଅଧିକ ଆଶଂକା ରହିଛି । ଜାଇନେକୋମାଷ୍ଟିଆ ନାମକ ଏକ କୋଷିକା ସ୍ତନଗ୍ରନ୍ଥୀରେ ବୃଦ୍ଧି ପାଇଥାଏ । ଏଥିସହ ପାରିବାରିକ ଇତିହାସ ଓ ଖରାପ ଜୀବନ ଶୈଳୀ ମଧ୍ୟ ସ୍ତନ କର୍କଟ ଭଳି ରୋଗ ବୃଦ୍ଧିର ଏକ କାରଣ ହୋଇପାରେ।

ଏଥିପାଇଁ କଣ ଚିକିତ୍ସା ରହିଛି?
କେମୋଥେରାପି ସହିତ ଅସ୍ତ୍ରୋପଚାର ଜରିଆରେ କର୍କଟ କୋଷଗୁଡ଼ିକୁ ବାହାର କରାଯାଇପାରିବ । ଏଥିସହ ରେଡିଅସନ୍ ଥେରାପି ଓ ହର୍ମୋନ୍ ଥେରାପି ହେଉଛି ପୁରୁଷଙ୍କ ସ୍ତନ କର୍କଟ ରୋଗର ଚିକିତ୍ସା ପଦ୍ଧତି । ସମ୍ପୂର୍ଣ୍ଣ ଉପଷମ ହେବା ପର୍ୟ୍ୟନ୍ତ ଏଭଳି ଚିକିତ୍ସା ପ୍ରଣାଳୀ ଆପଣାଇବାକୁ ପଡ଼ିବ ।