ସରକାରୀ ଯୋଜନା କଲା ବାୟା, ଟଙ୍କା ଲୋଭରେ ଶାଢ଼ି ପିନ୍ଧିଲେ ଶ୍ରମିକ

୩ ଲକ୍ଷ ଟଙ୍କା ଦାବି କରୁଥିଲେ । ଟଙ୍କା ପାଇଁ ଚରିଲେ ନାଟକ ।

ବେଙ୍ଗାଲୁରୁ: ସରକାରୀ ଯୋଜନା ମନରେଗାରେ ଜାତିଆତି କରିବା ନେଇ ଏକ ଘଟଣା ସାମ୍ନାକୁ ଆସିଛି । ଯୋଜନାରେ ୩ ଲକ୍ଷ ଟଙ୍କା ଲାଭ ପାଇବା ପାଇଁ କିଛି ପୁରୁଷ ଶାଢ଼ି ପିନ୍ଧି ମୁହଁକୁ ଘୋଡ଼ାଇ ମହିଳା ବେଶ ହୋଇଛନ୍ତି ।

କର୍ଣ୍ଣାଟକର ୟାଦଗିରି ଜିଲ୍ଲାରେ ଏହି ଘଯଣା ସଭିଁଙ୍କୁ ଚକିତ କରିଛି । ଯୋଜନା ପାଇଁ ପୁରୁଷ ଶାଢ଼ି ପିନ୍ଧି ଫଟୋ ଉଠାଇ ନ୍ୟାସନାଲ ମୋବାଇଲ ମନିଟରିଂ ସର୍ଭିସରେ ଅପଲୋଡ୍ କରି ୩ ଲକ୍ଷ ଟଙ୍କା ଦାବି କରୁଥିଲେ ।

ସରକାରୀ ଯୋଜନାରେ ମହିଳାମାନେ କାମ କରିଥିବା ଦର୍ଶାଇବା ପାଇଁ ଯୁବକମାନେ ଯୋଜନାବଦ୍ଧ ଭାବେ ଏପରି କରିଥିବା ଜଣାପଡ଼ିଛି । ଗତ ଫେବୃଆରୀରେ ଏହି ଫଟୋ ଅପଲୋଡ୍ କରାଯାଇଥିବା ଜଣାପଡ଼ିଛି । ଠକେଇ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦ ଦେଖାଯାଇଛି ।

ଏହି ଠକେଇରେ ପଞ୍ଚାୟତ ବାହାର ଲୋକଙ୍କ ସମ୍ପୃକ୍ତିଥିବା ଦର୍ଶାଇଛି । ଏମାନଙ୍କ ବିରୋଧରେ ଗ୍ରାମାଞ୍ଚଳବାସୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସ୍କାମରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିଷୟରେ ଜଣାପଡ଼ିବା ପରେ ସେମାନଙ୍କୁ ସସପେଣ୍ଡ କରାଯାଇଛି । ବର୍ତ୍ତମାନ ସମୟରେ ଗାଁରେ ମନରେଗା କାମ ଠିକ୍ ଢଙ୍ଗରେ ଚାଳିଛି ।

ଓଡ଼ିଶାରେ ଶୁଭଦ୍ରା ଯୋଜନା ପାଇଁ ହଜାରରୁ ଅଧିକ ପୁରୁଷ ଆବେଦନ କରିଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା । ଏହି ଯୋଜନା ଅନ୍ତର୍ଗତ ୨୧ରୁ ୬୦ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଦେବାର ଯୋଜନା ରହିଛି ।

ଏ ନେଇ ଅନଲାଇନରେ ଆବେଦନ କରିବାକୁ ଥିବାବେଳେ କିଛି ପୁରୁଷ ଟଙ୍କା ଲୋଭରେ ଅନଲାଇନରେ ଆବେଦନ କରିଥିବା ଜଣାପଡ଼ିଥିଲା । ଏହାପରେ ସେମାନଙ୍କ ନାଁକୁ ବାଦ୍ ପକାଯାଇଥିଲା ।