fbpx

ପୁଣି ବଢ଼ିଲା କ୍ଷୀର ଦାମ୍, ଗ୍ରାହକଙ୍କୁ ଲାଗିଲା ଝଟକା: ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ରେଟ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଏକ ଖରାପ ଖବର । ବର୍ତ୍ତମାନ ସମୟରେ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ପୁଣି ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଛି । ପୁଣି ଥରେ କ୍ଷୀର ଦାମ୍ ବଢ଼ିଛି । ଏହା ଫଳରେ ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ମଦର ଡେୟରୀ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଛି ।

କମ୍ପାନୀ ପକ୍ଷରୁ ଫୁଲ କ୍ରିମ ଓ ଟୋକନ ଯୁକ୍ତ କ୍ଷୀରର ଦାମରେ ବୃଦ୍ଧି କରାଯାଇଛି । ଫୁଲ କ୍ରିମ କ୍ଷୀର ଲିଟର ପିଛା ୧ ଟଙ୍କା ବୃଦ୍ଧି କରାଯାଇଥିବା ନେଇ ମଦର ଡେୟରୀ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ଟୋକନ ଯୁକ୍ତ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି । ତେବେ କମ୍ପାନୀ କ୍ଷୀରର ଦାମ୍ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କ ପାଇଁ ବଢ଼ାଇଥିବା ଜଣାପଡ଼ିଛି ।

ଗତ ଅକ୍ଟୋବର ମାସରେ ମଧ୍ୟ କମ୍ପାନୀ ଫୁଲ କ୍ରିମ କ୍ଷୀରର ମୂଲ୍ୟ ଦୁଇ ଟଙ୍କା ବଢ଼ାଇଥିଲା । ଏହା ପରେ ଏକ ଲିଟର ଫୁଲ କ୍ରିମ କ୍ଷୀରର ମୂଲ୍ୟ ୬୩ ଟଙ୍କାରେ ପହଞ୍ଚି ଯାଇଥିଲା । ଏଣିକି ଫୁଲ କ୍ରିମ କ୍ଷୀର ଲିଟର ପିଛା ଗ୍ରାହକଙ୍କୁ ୬୩ ବଦଳରେ ୬୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଆସନ୍ତା ସୋମବାରଠାରୁ ଏହି ନୂଆ ରେଟ୍ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଟୋକନ କ୍ଷୀରର ମୂଲ୍ୟ ୪୮ ଟଙ୍କାରୁ ବୃଦ୍ଧି ପାଇ ଏବେ ୫୦ ଟଙ୍କାରେ ପହଞ୍ଚି ଯାଇଛି । ଅନ୍ୟପକ୍ଷରେ ଫୁଲ କ୍ରିମ କ୍ଷୀରର ଅଧା କେଜି ପ୍ୟାକେଟ ମୂଲ୍ୟ କମ୍ପାନୀ ସ୍ଥିର ରଖିଛି । ସୂଚନାଯୋଗ୍ୟ ଯେ, ଦିଲ୍ଲୀ-ଏନସିଆରରେ ମଦର ଡେୟରୀ ସବୁଠାରୁ ବଡ଼ କ୍ଷୀର ଯୋଗାଣକାରୀ ଅଟେ । ଏହି କମ୍ପାନୀ ଦୈନିକ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ପ୍ୟାକେଟ ଓ ଭେଣ୍ଡିଂ ମେଶିନଂ ମାଧ୍ୟମରେ ବିକ୍ରି କରିଥାଏ । ତେବେ ଅନ୍ୟ କ୍ଷୀର ଯୋଗାଣକାରୀ କମ୍ପାନୀମାନେ ମଧ୍ୟ ଦର ବୃଦ୍ଧି କରିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.