Mid-Day Mealରେ ଦିଆଯିବ କ୍ଷୀର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ହେବେ ଉପକୃତ, ଖର୍ଚ୍ଚ ହେବ ୮୬୪ କୋଟି

ନୂଆଦିଲ୍ଲୀ: ସ୍କୁଲ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନେକ ସମୟରେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ଛାତ୍ରାଛାତ୍ରୀମାନେ କିପରି ଭଲରେ ଅଧ୍ୟୟନ କରିପାରିବେ, କିପରି ପୋଷଣଯୁକ୍ତ ଖାଦ୍ୟ ସେବନ କରି ସୁସ୍ଥ ରହି ପାରିବେ ସେନେଇ ଅନେକ ବ୍ୟବସ୍ଥା କରାଯାଇଥାଏ । ତେବେ ଏଣିକି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନଭୋଜନରେ କ୍ଷୀର ଯୋଗାଇ ଦିଆଯିବ ।

ସୂଚନା ମୁତାବକ, ରାଜସ୍ଥାନ ସରକାର ଏଭଳି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୈନିକ ଭୋଜନରେ ପୋଷଣକୁ ଗୁରୁତ୍ୱ ଦେବା ପରିପ୍ରେକ୍ଷୀରେ ଏଣିକି ପ୍ରତ୍ୟେକ ଦିନ ପିଲାଙ୍କୁ କ୍ଷୀର ପ୍ରଦାନ କରାଯିବ । ତେବେ ଏହି ସୁବିଧା ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ ପାଇ ପାରିବେ । ସେଥିପାଇଁ ରାଜ୍ୟ ରାଜକୋଷରୁ ୮୬୪ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପିଲାମାନେ କ୍ଷୀର ସେବନ କରିବା ଫଳରେ ସେମାନଙ୍କର ଶାରୀରିକ ଓ ମାନସିକ ଶକ୍ତିର ବିକାଶ ହୋଇ ପାରିବେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନଭେମ୍ବର ମାସ ୨୯ ତାରିଖରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାଲ ଗୋପାଲ ଯୋଜନା’ ଆରମ୍ଭ କରିଥିଲେ । ଏହି ଅବସରରେ ସ୍କୁଲ ପିଲାଙ୍କୁ ସପ୍ତାହର ବୁଧବାର ଓ ଶୁକ୍ରବାର ଦୁଇ ଦିନ ପାଇଁ କ୍ଷୀର ଦେବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏବେ ରାଜ୍ୟ ସରକାର ଅବଶିଷ୍ଟ ଦୁଇଦିନ ଅର୍ଥାତ ପ୍ରତିଦିନ କ୍ଷୀର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୩-୨୪ର ରାଜ୍ୟ ବଜେଟ ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଏହି ଘୋଷଣା କରିଥିଲେ ।