fbpx

57 ଏନଏସି ଘୋଷଣା ନେଇ ଗୃହରେ ମନ୍ତ୍ରୀଙ୍କ ଉତ୍ତର, କହିଲେ ମାନଦଣ୍ଡ ପୂରଣ କରୁଥିଲେ ବିଭାଗ ତର୍ଜମା କରିବ

ଭୁବନେଶ୍ବର:   ବିଧାନସଭାରେ ଉଠିଲା ନୂଆ ଏନଏସି ଘୋଷଣା ଦାବି । ବିଧାୟକ ପ୍ରତାପ ଦେବ ଏବଂ ଗଣେଶ୍ୱର ବେହେରା ଗତ ନିର୍ବାଚନ ବେଳେ ରାଜ୍ୟରେ ଘୋଷିତ ୫୭ଟି ନୂଆ ଏନଏସିର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏନେଇ ଗୃହରେ ସ୍ପଷ୍ଟୋକ୍ତି ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବିଧି ଅନୁଯାୟୀ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନୂଆ ଏନଏସି ଘୋଷଣା କରାଯାଇଥାଏ । କୌଣସି ଅଞ୍ଚଳକୁ ଏନଏସି ଘୋଷଣା କରିବା ପାଇଁ ନିର୍ଦ୍ଧିଷ୍ଟ ବିଧି ବ୍ୟବସ୍ଥା, ମାନଦଣ୍ଡ ରହିଛି । ଓଡ଼ିଶା ପୌର ଅଧିନିୟମ, ୧୯୫୦ ଏବଂ ଗ୍ରାମୀଣ ସହର ନୀତିରେ ଥିବା ନିୟମାବଳୀକୁ ଯଦି କୌଣସି ଅଞ୍ଚଳ ପୂରଣ କରୁଥିବେ, ଏନଏସି ଘୋଷଣାରେ କୌଣସି ଅସୁବିଧା ନାହିଁ । ତେବେ ଏଥିପାଇଁ ଜିଲ୍ଲାପାଳଙ୍କ ରିପୋର୍ଟ ଆବଶ୍ୟକ ଅଟେ ।

ଜିଲ୍ଲାପାଳଙ୍କ ରିପୋର୍ଟ ହସ୍ତଗତ ହେବା ପରେ ବିଭାଗ ଏହାକୁ ତର୍ଜମା କରିବ । ଏହାପରେ ନୂଆ ଏନଏସି ପାଇଁ ବିଭାଗ ପଦକ୍ଷେପ ନେବ ବୋଲି ସେ କହିଛନ୍ତି । ତେବେ ଏହି ୫୭ ପ୍ରସ୍ତାବିତ ଏନଏସି ପାଇଁ ତତ୍କାଳୀନ ସରକାର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର  ଜିଲ୍ଲାପାଳଙ୍କ ବିନା ରିପୋର୍ଟରେ ଅତ୍ୟନ୍ତ ତରବରିଆ ଭାବେ ନିର୍ବାଚନକୁ ଆଖିଆଗରେ ରଖି ସରକାର ନୂଆ ଏନଏସି ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ବିଭାଗ ପକ୍ଷରୁ ଉକ୍ତ ୫୭ ଏନଏସି ପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିଲେ ବିଭାଗ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବ । ଏହାସହ ରାଜ୍ୟରେ ଆଉ ୧୮ଟି  ନୂଆ ଏନଏସି ପାଇଁ ରିପୋର୍ଟ ମଗାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ନୂଆ ଏନଏସି ଗଠନ ନେଇ ପ୍ରଶ୍ନକାଳରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଜୟପୁର ବିଧାୟକ ତାରା ବାହିନୀପତି, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ , ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.