ଅସୁରକ୍ଷିତ ପୋଲିସ, ପନିକିରେ କନଷ୍ଟେବଲଙ୍କୁ ହାଣିଲା ଦୁର୍ବୃତ୍ତ

ଦୁଇ ଭାଇଙ୍କ କଳି ମଧ୍ୟରେ ଫସି ଗଲେ କନଷ୍ଟେବଲ।

ବ୍ରହ୍ମପୁର: ପୋଲିସ ବି ଅସୁରକ୍ଷିତ। ଘର କଳି ସମାଧାନ କରିବାକୁ ଆସି ଆକ୍ରମଣର ଶିକାର ହେଲା ପୋଲିସ। ପୋଲିସ କନଷ୍ଟେବଲଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି  ହେଲେ ପୋଲିସ କନଷ୍ଟେବଲ।

ଘଟଣାଟି ହେଉଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ସାନଖେମୁଣ୍ଡି ସାହିର। ଉକ୍ତ ଗାଁର ଦୁଇ ଭାଇଙ୍କ ମଧ୍ୟରେ ଜମି ବାଡ଼ି ବିବାଦକୁ ନେଇ ଝଗଡ଼ା ହୋଇଥିଲା। ଆଉ ଦୁଇ ଭାଇଙ୍କ ବିବାଦର ସମାଧାନ କରିବା ପାଇଁ ଯାଇଥିଲେ କନଷ୍ଟେବଲ।

ହେଲେ ସେ କଳିର ସମାଧାନ କରିବେ କ’ଣ, ନିଜେ ଆକ୍ରମଣର ଶିକାର ହେଲେ। ସାନ ଭାଇ ଜଣକ ରାଗିଯାଇ କନଷ୍ଟେବଲଙ୍କ ଉପରକୁ ପନିକିରେ ଅତର୍କିତ ଆକ୍ରମଣ କରିଥିଲା। ଫଳରେ କନଷ୍ଟେବଲ ବିଜୟ ମହାପାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୁକ୍ତ ସାନଭାଇକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି।