fbpx

କାଳିଆ ଆଗରେ ପାପ: ବଡଦାଣ୍ଡରେ ଯୁବତୀଙ୍କୁ ଅସଦାଚରଣ କଲେ ସୁରକ୍ଷାକର୍ମୀ

ପୁରୀ: ମହାବାହୁଙ୍କ ଦର୍ଶନ ଲାଗି ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ହରିବୋଲ ହୁଳହୁଳି ଓ ଘଣ୍ଟଘଣ୍ଟାରେ କମ୍ପି ଉଠୁଛି ଶ୍ରୀକ୍ଷେତ୍ର ପୁରୀ । ଗୁଣ୍ଡିଚା ଯାତ୍ରା ଠାରୁ ଆରମ୍ଭ କରି ବାହୁଡା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବଡଦାଣ୍ଡରେ ଲାଗିରହିଛି ପ୍ରବଳ ଭିଡ । ଏହାରି ମଧ୍ୟରେ ଘଟିଛି ଏକ ସମ୍ବେଦନଶୀଳ ଘଟଣା । ଶ୍ରୀଜିଉଙ୍କ ଦର୍ଶନ ସମୟରେ ସର୍ବସମ୍ମୁଖରେ ଅସଦାଚରଣର ଶିକାର ହୋଇଛନ୍ତି ଜଣେ ଯୁବତୀ । ଯାହାକି ଶ୍ରୀକ୍ଷେତ୍ର ପୁରୀ ଓ ବଡ ଦାଣ୍ଡକୁ ଅପବିତ୍ର କରିଦେଇଛି ।

ଜଣେ ଯୁବତୀ ବଡଦାଣ୍ଡରେ ଶ୍ରୀ ଜିଉଙ୍କୁ ଦର୍ଶନ କରୁଥିବାବେଳେ ସର୍ବସମ୍ମୁଖରେ ତାଙ୍କୁ ଅସଦାଚରଣର କରିଛନ୍ତି । ତେବେ ସବୁଠୁ ବିଡମ୍ବନାର ବିଷୟ ହେଉଛି ଯେ ଅସଦାଚରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଡଦାଣ୍ଡରେ ସୁରକ୍ଷା ଦେବାକୁ ନିୟୋଜିତ ଥିବା ଜଣେ ସୁରକ୍ଷାକର୍ମୀ । ଯୁବତୀ ଜଣଙ୍କ କିଛି ବୁଝିବା ଆଗରୁ ସୁରକ୍ଷାକର୍ମୀ ଜଣଙ୍କ ତାଙ୍କ ସହ ଅସଗାଚରଣ କରି ଅତି ଚତୁରତାର ସହ ସେଠାରୁ ଚାଲିଯାଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓଟି ଭାଇରାଲ ହେବାପରେ ଏହାକୁ ନେଇ ସବୁଠି ଅସନ୍ତୋଷ ଦେଖାଦେଇଛି ।

ରଥଯାତ୍ରାରେ ଭକ୍ତଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପ୍ରକାର ପଦକ୍ଷେପ ନେଇଛନ୍ତି । ସିସିଟିଭି ଠାରୁ ଆରମ୍ଭ କରି ବହୁ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । କିନ୍ତୁ ରକ୍ଷକ ଯଦି ଭକ୍ଷକ ସାଜିବ ତେବେ ଭକ୍ତଙ୍କୁ ସୁରକ୍ଷା ଦେବ କିଏ । ମହାବାହୁ କାଳିଆ ସାମ୍ନାରେ ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.