ମୋ ବସ ଦେଖିଲେ ଡର ମାଡୁଛି: ସ୍କୁଟି ସହିତ ମହିଳାଙ୍କୁ ଘୋଷାଡ଼ିନେଲା ଏତେ କି.ମି. ଦୂର
ଆଖି ପିଛୁଳାକେ ଛାଡିଗଲା ପ୍ରାଣ । ଜୀବନ ନେବାରେ ଲାଗିଛି ସରକାରୀ ବସ ।
ଭୁବନେଶ୍ୱର: ମୋ ବସକୁ ଦେଖିଲେ ଡର ଲାଗୁଛି। କାରଣ ସାଧାରଣ ଲୋକଙ୍କ ପାଇଁ ଯମ ପାଲଟିଛି ମୋ ବାସ। ବାସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ଘଟିବାରେ ଲାଗିଛି ବଡ ଦୁର୍ଘଟଣାମାନ। ଗୋଟିଏ ଦିନ ତଳେ ଖଣ୍ଡଗିରି ଡିଏନ ରେଙ୍ଗାଲିଆ ନିକଟରେ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ।
ଭୟ ଲାଗୁଛି: ସେଦିନ ରାଜଧାନୀ ରାଜରାସ୍ତାରେ ଘଟିଥିବା ଲୋମଟାଙ୍କୁରା ଦୁର୍ଘଟଣା ଭିଡିଓ ସାମ୍ନାକୁ ଆସିଛି । ମୋ ବସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାର ଛାତି ଥରା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଶହ ଶହ ଲୋକଙ୍କ ଭିଡରେ ଅମାନିଆ ମୋ ବସ ଚାଳକ ରାସ୍ତା କଡର ଏକ ସ୍କୁଟିକୁ ଧକ୍କା ଦେଇ ଅଧ କିଲୋମିଟର ଘୋଷାଡ଼ି ନେଉଥିବାର ଦେଖାଯାଉଛି ।
ଲୋକମାନେ ହୋ ହୋ ହେଉଛନ୍ତି, ହେଲେ ନଛୋଡ ବନ୍ଧା ଡ୍ରାଇଭର ଅଧ କିଲୋମିଟର ସ୍କୁଟିକୁ ଭିଡ଼ିନେଲା । ଆଉ ସେହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସ୍ଥିତି ଏବେ ଏମିତି ହୋଇଛି ଯେ ରାସ୍ତାରେ ମୋ ବସକୁ ଦେଖିଲେ ଲୋକେ ଛାନିଆ ହେଉଛନ୍ତି ।
ଦିଶୁନି ପ୍ରତିକାର: ଶୁକ୍ରବାର ରାତିରେ ମଧ୍ୟ ଭୁବନେଶ୍ବର ପାତ୍ରପଡା ପାଖରେ ମୋ ବସ୍ ଘଟାଇଥିଲା ଦୁର୍ଘଟଣା। ସ୍କୁଟି ଚାଳକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାସହ ଅନ୍ୟ ୩ଜଣ ମଧ୍ୟ ବସ୍ ଧକ୍କାରେ ଆହତ ହୋଇଥିଲେ। ଏହାକୁ ନେଇ ଜନତାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା। ବାରମ୍ବାର ମୋ ବସ୍ ଏଭଳି କାଣ୍ଡ ଘଟାଉଥିବାରୁ ତା ପାଖାପାଖି ବି ଯିବାକୁ ଡରିଲେଣି ଗାଡି ଚାଳକ।