ଶିଶୁର DNA ନଷ୍ଟ କରିପାରେ ମୋବାଇଲର ରେଡିଏସନ୍: ଗର୍ଭାବସ୍ଥାରେ ଅଧିକ ଫୋନର ବ୍ୟବହାର, କରିପାରେ ଶିଶୁଙ୍କୁ ଜିଦଖୋର୍- ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ରତ୍ୟେକ ମହିଳାଙ୍କ ପାଇଁ ମାତୃତ୍ୱର ଅଧିକାରିଣୀ ହେବା ଏକ ସୁନ୍ଦର ଅନୁଭବ । ଗୋଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଜଣେ ମା’ କେତେ ଯେ କଷ୍ଟ ସହିଥାଏ ତାହା ବର୍ଣ୍ଣନା କରିବା ନିହାତି କଷ୍ଟକର ବ୍ୟାପାର । ତେବେ ଗର୍ଭାବସ୍ଥାରେ ମହିଳାଙ୍କୁ ଅନେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ । ନଚେତ୍ ଏହାର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ । ବିଶେଷ କରି ଗର୍ଭବତୀ ମହିଳାମାନେ ଗର୍ଭଧାରଣ ସମୟରେ ମୋବାଇଲ ଫୋନ୍ ଠାରୁ ଦୂରଇ ରହିବା ଉଚିତ୍ । ଏଇ ଖରାପ ଅଭ୍ୟାସ ଗର୍ଭସ୍ଥ ଶିଶୁର ଡିଏନଏ ନଷ୍ଟ କରିବାର ସମ୍ଭାବନା ରହିଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା । ତେଣୁ ଏନେଇ ଗର୍ଭବତୀ ମହିଳାମାନେ ବେଶ୍ ସତର୍କ ରହିବା ନିହାତି ଜରୁରୀ ।

ଗତବର୍ଷ ୟେଲ ସ୍କୁଲ ଅଫ୍ ମେଡିସିନ ପକ୍ଷରୁ କରାଯାଇଥିବା ଏକ ଗବେଷଣା ମୁତାବକ, ଗର୍ଭାବସ୍ଥାରେ ଅଧିକ ସମୟ ଧରି ମୋବାଇଲ ଫୋନ୍ ବ୍ୟବହାର କରିବା ଫଳରେ ତାହା ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପକାଇଥାଏ । ଏହା ଶିଶୁର ମାନସିକ ବିକାଶ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବା ସହିତ ଜନ୍ମ ପରେ ମଧ୍ୟ ଶିଶୁଠାରେ ଅନେକ ଅସୁବିଧା ଦେଖିବାକୁ ମିଳିଥାଏ । ମାଆମାନେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଫଳରେ ଶିଶୁଟି ଜନ୍ମ ପରେ ଛୋଟ ବୟସରୁ ହାଇପର ଆକ୍ଟିଭିଟିର ସମ୍ମୁଖୀନ ହୋଇଥାଏ ।

ସେହିପରି ଯଦି ମାଆମାନେ ଗର୍ଭାବସ୍ଥାରେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରନ୍ତି ତେବେ ଅନ୍ୟ ଶିଶୁଙ୍କ ତୁଳନାରେ ସେମାନଙ୍କର ଶିଶୁ ଅଧିକ ଜିଦଖୋର ଓ ରାଗି ହୋଇଥାନ୍ତି । ଏଭଳି ସ୍ଥିତିରେ ମୋବାଇଲ ଫୋନରୁ ବାହାରୁଥିବା ଇଲେକ୍ଟ୍ରୋ ମାଗ୍ନେଟିକ ରେଡିଏସନ ଗର୍ଭସ୍ଥ ଶିଶୁର ଡିଏନଏକୁ ନଷ୍ଟ କରିଦେଇପାରେ । ଏଥିସହିତ ମାଆମାନେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଫଳରେ ଶିଶୁଙ୍କ ଠାରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେଇଥାଏ ବୋଲି ଡେନମାର୍କରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ତେଣୁ ମହିଳାମାନେ ରାତିରେ ଶୋଇବା ସମୟରେ ତକିଆ ତଳେ ମୋବାଇଲ ରଖିବା ଅନୁଚିତ । ଏଥିସହିତ ଗର୍ଭାବସ୍ଥାରେ ଅଧିକ ସମୟ ଧରି ସୋସିଆଲ ମିଡ଼ିଆର ବ୍ୟବହାର ଠାରୁ ଦୂରେଇ ରହିବା ଭଲ । ଯଦି ଆପଣମାନେ ଏକ ଉତ୍ତମ ସ୍ୱାସ୍ଥ୍ୟମାନ ଶିଶୁ ଚାହାନ୍ତି ତେବେ ଏନେଇ ସତର୍କ ରହିବା ନିହାତି ଜରୁରୀ ।

Get real time updates directly on you device, subscribe now.