fbpx

AIDSରୁ ରକ୍ଷା ପାଇବା ପାଇଁ mRNA ଉପରେ ଆଧାରିତ HIV ଭ୍ୟାକ୍ସିନ ପରୀକ୍ଷଣ କଲା ମଡର୍ଣ୍ଣା

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମାସ୍ୟୁଟିକାଲ ଓ ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ଣ୍ଣା ଏମଆରଏନଏ ଉପରେ ଆଧାରିତ ଏଚଆଇଭି ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଛି । ମଡର୍ଣ୍ଣା ଓ ଇଣ୍ଟରନ୍ୟାସନ୍ୟାଲ ଏଡସ୍ ଭ୍ୟାକ୍ସିନ ଇନିସିଏଟିଭ୍ (ଆଇଏଭିଆଇ) ମିଳିତ ଭାବେ ଏହି ଏକ୍ସପରିମେଣ୍ଟ ଆରମ୍ଭ କରିଛନ୍ତି । ତେବେ କୋଭିଡ-୧୯ରେ ବ୍ୟବହୃତ ହୋଇଥିବା ଏମଆରଏନଏ ଟେକ୍ନୋଲୋଜିକୁ ଏଚଆଇଭି ଭ୍ୟାକ୍ସିନରେ ପ୍ରୟୋଗ କରାଯାଇଛି । ଗତ ଏକ ଦଶନ୍ଧି ଧରି ଏଚଆଇଭି ଭ୍ୟାକ୍ସିନ ଉପରେ କାର୍ଯ୍ୟ ଜାରି ରହିଥିବା ବେଳେ ଏମଆରଏନଏ ଟେକ୍ନୋଲୋଜି ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । କ୍ଲିନିକାଲ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଏମଆରଏନଏ ଟେକ୍ନୋଲୋଜି ଲୋକଙ୍କୁ ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହି ଟ୍ରାଏଲ ପାଇଁ ମଡର୍ଣ୍ଣା ସହ ଅନ୍ତର୍ଜାତୀୟ ନନପ୍ରଫିଟ ସଂସ୍ଥା ଆଇଏଭିଆଇ ସଂସ୍ଥା ବୁଝାମଣା କରିଛି । ଏମଆରଏନଏ ଆଧାରିତ ଭ୍ୟାକ୍ସିନ ଇମ୍ୟୁନିଟି ସୃଷ୍ଟି କ୍ଷେତ୍ରରେ କେତେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି ସେନେଇ ରିସର୍ଚ୍ଚମାନେ ପରୀକ୍ଷା କରିଛନ୍ତି । ଏଚଆଇଭି ଭ୍ୟାକ୍ସିନର ଏହି ଆଡଭାନ୍ସ ଟେକ୍ନୋଲୋଜିକୁ ନେଇ ବହୁତ ଉତ୍ସାହିତ ରହିଥିବା କହିଛନ୍ତି ଆଇଏଭିଆଇର ସିଇଓ । ଏହି ନୂଆ ଟ୍ରାଏଲ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଫଣ୍ଡିଂ ସହାୟତା କରିଥିବା ଜଣାପଡ଼ିଛି ।

ଏହି କ୍ଲିନିକାଲ ଟ୍ରାଏଲ ପାଇଁ ୫୬ ଜଣ ସୁସ୍ଥ ଏଚଆଇଭି ନେଗେଟିଭ୍ ଯୁବ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚଆଇଭି) କାରଣରୁ ଏଡସ୍ ହୋଇଥାଏ ବୋଲି ବୈଜ୍ଞାନିକମାନେ ୪୦ ବର୍ଷ ପୂର୍ବେ ଏହାକୁ ଚିହ୍ନଟ କରିଥିଲେ । ସେ ସମୟରୁ ରିସର୍ଚ୍ଚରମାନେ ଏଚଆଇଭି କବଳରୁ ରକ୍ଷା ପାଇଁ ଏକ ପ୍ରଭାବଶାଳୀ ଭ୍ୟାକ୍ସିନର ସନ୍ଧାନ କରିଆସୁଛନ୍ତି । ଏନେଇ ୩ଟି ପର୍ଯ୍ୟାୟରେ ଅନେକ ଥର କ୍ଲିନିକାଲ ଟ୍ରାଏଲ କରାଯାଇଥିଲେ ହେଁ ଏନେଇ ଏଯାବତ କୌଣସି ସୁଫଳ ମିଳିନାହିଁ ।

Get real time updates directly on you device, subscribe now.