fbpx

ମୋଦୀ କ୍ୟାବିନେଟ ମଞ୍ଜୁରୀ: ଲିଥିୟମ୍ ସମେତ ୩ଟି ଦୁର୍ଲ୍ଲଭ ଉପାଦାନ ପାଇଁ ରୟାଲଟି ସ୍ଥିର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ତିନୋଟି ମହତ୍ତ୍ୱପୂର୍ଣ୍ଣ ରଣନୀତିକ ଖଣିଜ ଉପାଦାନ ପାଇଁ ରୟାଲଟି ଦର ସ୍ଥିର କରାଯାଇଛି । ରୟାଲଟି ଦରକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଦେଶରେ ପ୍ରଥମ ଥର ପାଇଁ ଲିଥିୟମ, ନାଇଓବିୟମ ଓ ଦୁର୍ଲ୍ଲଭ ପୃଥିବୀ ଉପାଦାନ (ଆରଇଇ) ବ୍ଲକକୁ ନିଲାମ କରାଯାଇ ପାରିବ ବୋଲି କୁହାଯାଇଛି ।

କେନ୍ଦ୍ର ଖଣି ମନ୍ତ୍ରଣାଳୟ ମୁତାବକ, ଖଣି ଓ ଖଣିଜ (ବିକାଶ ଓ ବିନିୟମ ଅଧିନିୟମ, ୧୯୫୭ (ଏମଏମଡିଆର ଅଧିନିୟମ)ର ଦ୍ୱିତୀୟ ଅନୁସୂଚୀରେ ସଂଶୋଧନ କରାଯାଇ ମନ୍ତ୍ରିମଣ୍ଡଳରେ ଏହାକୁ ମଞ୍ଜୁରୀ ମିଳିଛି । ଫଳରେ ଲିଥିୟମ, ନାଇଓବିୟମ ଓ ଦୁର୍ଲ୍ଲଭ ପୃଥିବୀ ଉପାଦାନ (ଆରଇଇ) ପରି ତିନୋଟି ମହତ୍ତ୍ୱପୂର୍ଣ୍ଣ ଖଣିଜ ଉପାଦାନ ସମ୍ବନ୍ଧରେ ରୟାଲଟି ଦର ସ୍ଥିର କରାଯାଇ ପାରିବ ।

ଏଥିସହିତ ଡିଜିଟାଲ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଫ୍ରାନ୍ସ ସହିତ ବୁଝାମଣାକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ଫ୍ରାନ୍ସର ଅର୍ଥବ୍ୟବସ୍ଥା, ଅର୍ଥ ଓ ଉଦ୍ୟୋଗିକ, ଡିଜିଟାଲ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ନେଇ ସବୁଜ ସଙ୍କେତ ମିଳିଛି । ଡିଜିଟାଲ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ସହଯୋଗ ଓ ଆଦାନପ୍ରଦାନ ବୃଦ୍ଧି ଲକ୍ଷ୍ୟରେ ଏହି ହସ୍ତାକ୍ଷର ସ୍ୱାକ୍ଷର କରାଯାଇଛି । ଏଣିକୁ ଦୁଇ ଦେଶ ନିଜର ଡିଜିଟାଲ ପ୍ରଯୁକ୍ତିବିଦ୍ୟାକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ ପରସ୍ପରକୁ ସମର୍ଥନ କରିବେ ।

Get real time updates directly on you device, subscribe now.