fbpx

ଏସଆଇଟିରେ ହାଜର ହେବା ସମୟରେ ମୋଦୀ ଡ୍ରାମା କରିନଥିଲେ, ମୋ ଗିରଫଦାରୀରେ ବି ଧାରଣା ହୋଇନଥିଲା: ଅମିତ୍ ଶାହ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗାରେ ସୁପ୍ରିମକୋର୍ଟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନ ଚିଟକୁ କାଏମ ରଖିଛନ୍ତି। ଶନିବାର ଏହା ଉପରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ମୋଦୀଙ୍କ ଉପରେ ଅଭିଯୋଗ ଲଗାଉଥିବା ଲୋକଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ଏଥିସହ ସେ ଇସାରା ଇସାରାରେ ମୋଦୀଙ୍କ ଏସଆଇଟି ସାମ୍ନାରେ ହାଜର ହେବାକୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଇଡିରେ ହାଜର ହେବା ସହ ତୂଳନା କରିଛନ୍ତି।

ସମାଚାର ଏଜେନ୍ସି ଏଏନଆଇକୁ ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ ଶାହ କହିଛନ୍ତି, ମୋଦୀ ଜୀ ଏସଆଇଟି ସାମ୍ନାରେ ନାଟକ କରି ଯାଇନଥିଲେ। ସେ କହିନଥିଲେ ଯେ ହାଜର ହେବା ସମୟରେ ମୋ ମସର୍ଥନରେ ସମସ୍ତେ ଆସ। ଗାଁ ଲୋକ ନଆସିଲେ ବିଧାୟକଙ୍କୁ ଡକାଅ, ସାଂସଦଙ୍କୁ ଡକାଅ, ପୂର୍ବତନ ସାଂସଦକୁ ମଧ୍ୟ ଡକାଅ।

ଉଲ୍ଲେଖଯୋଗ୍ୟ, ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚୁରା କରୁଛି। ଜୁନ ୧୩ରୁ ଆରମ୍ଭ ହୋଇଥିବା ଜେରା ସହିତ ଦିଲ୍ଲୀ ସମେତ ଦେଶର ଅନେକ ସହରରେ କଂଗ୍ରେସ କାର‌୍ୟ୍ୟକର୍ତ୍ତା ଖୁବ୍ ବିରୋଧ ପ୍ରଦର୍ଶନ କରିଥିଲେ।

 

ସାକ୍ଷାତକାର ସମୟରେ ପ୍ରଶ୍ନର ଉତ୍ତରରେ ଶାହ କହିଛନ୍ତି, ଆମେ ମାନୁଥିଲି ଯେ, ଆମକୁ ନ୍ୟାୟିକ ପ୍ରକ୍ରିୟାରେ ସହଯୋଗ କରିବା ଉଚିତ୍। ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ଏସଆଇଟି କାମ କରୁଛି। ଯଦି ଏସଆଇଟି ଚାହୁଁଛି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ, ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ କହୁଛନ୍ତି ମୁଁ ଏଥିରେ ସହଯୋଗ କରିବାକୁ ପ୍ରସ୍ତୁତ। ତେଣୁ କେଉଁ କଥାକୁ ନେଇ ଆନ୍ଦୋଳନ କରିବା। ଆମର ଏଠାରେ କୌଣସି ବି ବ୍ୟକ୍ତି ନ୍ୟାୟର ପରିଧିରୁ ବାହାରେ ନୁହନ୍ତି ବୋଲି ଶାହ କହିଛନ୍ତି।

ସ୍ଵରାଷ୍ଟ୍ର ମନ୍ତ୍ରୀ ଶାହ କହିଛନ୍ତି, ମୋ ଗିରଫଦାରୀରେ ମଧ୍ୟ ଧାରଣା ହୋଇନଥିଲା। ସର୍ବୋଚ୍ଚ ନ୍ୟାୟାଳୟରୁ ନିଷ୍ପତ୍ତି ଆସିବା ପରେ ଶାହ କହିଛନ୍ତି ଏଥିରେ ବିଜେପି ଉପରେ ଲାଗିଥିବା ଦାଗ ଧୋଇ ହୋଇ ଯାଇଛି। ଏଥିସହ ମୋଦୀଙ୍କ ଉପରେ ଅଭିଯୋଗ ଲଗାଉଥିବା ଲୋକେ କ୍ଷମା ମାଗିବା ଉଚିତ୍ ବୋଲି ଶାହ କହିଛନ୍ତି।

 

Get real time updates directly on you device, subscribe now.