fbpx

କୋଭିଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା ରାଶି ଦେଇପାରିବେନି ମୋଦୀ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, କରୋନାଭାଇରସ୍ ମହାମାରୀରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦେଇପାରିବେ ନାହିଁ । କାରଣ କ୍ଷତିପୂରଣ ପ୍ରଦାନ କେବଳ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରଯୁଜ୍ୟ । କେବଳ ଏତିକି ନୁହେଁ, ଶନିବାର ରାତିରେ କୋର୍ଟରେ ଦିଆଯାଇଥିବା ୧୮୩ ପୃଷ୍ଠାର ଆଫିଡେଭିଟ୍ ରେ ମଧ୍ୟ କେନ୍ଦ୍ର କହିଛି ଯେ ପ୍ରତ୍ୟେକ ପୀଡିତଙ୍କୁ ୪ ଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା ହୋଇପାରିବ ନାହିଁ, କାରଣ ଏହି ଯୋଜନାର ମୂଲ୍ୟ ବହନ କରାଯାଇପାରିବ ନାହିଁ ।

କେନ୍ଦ୍ର କୋର୍ଟଙ୍କୁ କହିଛି ଯେ, ଯଦି କରୋନା ଭାଇରସରେ କ୍ଷତିପୂରଣ ଦିଆଯାଏ, ତେବେ ଅନ୍ୟ ରୋଗରେ କ୍ଷତିପୂରଣ ନ ଦେବା ଏକ ପ୍ରକାର ଅନ୍ୟାୟ ହେବ । ଏହି ମହାମାରୀ ଆକ୍ରାନ୍ତ ହୋଇ ଦେଶବ୍ୟାପୀ ୩.୮୫ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥିତିରେ ଆର୍ଥିକ ଚାପରେ ଗତି କରୁଥିବା ରାଜ୍ୟମାନେ ସମସ୍ତଙ୍କୁ ସାହାଯ୍ୟ କରିପାରିବେ ନାହିଁ ।

ଆଫିଡେଭିଟରେ ବିପର୍ଯ୍ୟୟ ପରିଚାଳନା ଆଇନର ସବିଶେଷ ତଥ୍ୟ ଦେଇ କେନ୍ଦ୍ର କହିଛି ଯେ, ଭୂକମ୍ପ କିମ୍ବା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଏହି କ୍ଷତିପୂରଣ ପ୍ରଦାନ କରାଯାଇଥାଏ । କିନ୍ତୁ କରୋନାଭାଇରସ୍ ଏକ ବଡ଼ ଧରଣର ମହାମାରୀ ଥିଲା ଏବଂ ଏହା ଉପରେ କ୍ଷତିପୂରଣ ବ୍ୟବସ୍ଥା ଲାଗୁ କରିବା ଠିକ୍ ହେବ ନାହିଁ । କେନ୍ଦ୍ର କହିଛି ଯେ ଯଦି କରୋନା ପୀଡିତଙ୍କୁ କ୍ଷତିପୂରଣ ବାବଦ ପାଣ୍ଠିକୁ ଯଦି କୋଭିଡ୍ ସହାୟତା ଆକାରରେ ଦିଆଯାଏ ତେବେ ଏହା ରାଜ୍ୟରେ ଜାରି ରହିଥିବା କରୋନା ବିରୋଧୀ ଲଢ଼େଇକୁ ପ୍ରଭାବିତ କରିବ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଓ ବିପର୍ଯ୍ୟୟର ପାଇଁ ପର୍ଯ୍ୟାପ୍ତ ଅର୍ଥ ବାକି ରହିବ ନାହିଁ ।

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫, ଅନୁଯାୟୀ ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ପରିବାରକୁ ଚାରି ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ।

Get real time updates directly on you device, subscribe now.