fbpx

(Video) ୨୦୩୪ ପର୍ଯ୍ୟନ୍ତ ମୋଦୀ ପ୍ରଧାନମନ୍ତ୍ରୀ: ରୋହିତ କୁମାର ସିଂ

ଭୁବନେଶ୍ୱର : ଦେଶରେ ପ୍ରଧାନମନ୍ତ୍ରୀ ପଦବୀରେ ନରେନ୍ଦ୍ର ମୋଦୀ ୨୦୩୪ ମସିହା ପର୍ଯ୍ୟନ୍ତ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିବେ ବୋଲି ‘ଓଡ଼ିଶା ଭାସ୍କର’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦୃଢ଼ୋକ୍ତି ବାଢ଼ିଛନ୍ତି ଯୁବ ଚେତନା ରାଷ୍ଟ୍ରୀୟ ସଂଯୋଜକ ରୋହିତ୍ କୁମାର ସିଂ । ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଓଡ଼ିଶା ଜଗନ୍ନାଥଙ୍କ ଧାମ ଓ ଏଠାରେ ପ୍ରତ୍ୟେକ ଓଡ଼ିଆ ଜଗନ୍ନଥଙ୍କ ଉପରେ ଆସ୍ଥା ପ୍ରକଟ କରିଥାନ୍ତି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି, ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଆସୀନ କରି ପ୍ରଧାନମନ୍ତ୍ରୀ ସାମାଜିକ ସ୍ତରରେ ସମସ୍ତଙ୍କୁ ଏକ ବୋଲି ପ୍ରମାଣିତ କରିଛନ୍ତି ।

ସେହିପରି ଦେଶରେ ଗୋଟିଏ ପରିବାର ରାଜନୀତିକୁ ପରିବାରବାଦ, ଭ୍ରଷ୍ଟାଚାର ଓ ଦୁର୍ନୀତିରେ ପରିଣତ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାଜନକ ବିଷୟ । ଭାରତ ସର୍ବଦା ଗଣତନ୍ତ୍ର ଓ ସମ୍ବିଧାନକୁ ସମ୍ମାନ ଦେଇଆସୁଛି । ପ୍ରଧାନମନ୍ତ୍ରୀ ସବୁବେଳେ ସମାଜର ଦଳିତ, ନିଷ୍ପେସିତ, ଅବହେଳିତ ଓ ପଛୁଆବର୍ଗର ବ୍ୟକ୍ତିଙ୍କ ପାଇଁ ବହୁ ବିକାଶମୂଳକ ଯୋଜନା ପ୍ରଣୟନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଆମର ଗର୍ବ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ସାଧାରଣ ପରିବାରରୁ ବହୁ ବ୍ୟକ୍ତି ଓ ରାଜନେତା ରାଜନୀତିର ଶୀର୍ଷସ୍ତରରେ ରହିବାରେ ସମର୍ଥ ହୋଇପାରିଛନ୍ତି । ତେଣୁ ସବୁବେଳେ ପ୍ରଧାନମନ୍ତ୍ରୀ ରାଜନୀତିରୁ ପରିବାରବାଦକୁ ସମୂଳେ ବିଲୋପ କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବାରୁ ଏଠାରେ ସବୁଧର୍ମର ଲୋକଙ୍କୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ । ହିନ୍ଦୁ ମୁସଲିମ୍, ଜୈନ, ଖ୍ରୀଷ୍ଟିଆନ, ଶିଖ ଓ ଅନ୍ୟାନ୍ୟ ସଂପ୍ରଦାୟର ଲୋକଙ୍କୁ ମୋଦୀ ସରକାର ସର୍ବଦା ସମାନ ପ୍ରାଧାନ୍ୟ ଦେଇଆସୁଛନ୍ତି ।

ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଓଡ଼ିଶା ସହ ଓତଃପ୍ରୋତଃ ଭାବେ ଜଡ଼ିତ । ଓଡ଼ିଶା ଭାରତବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଓଡ଼ିଶାରେ ଯୁବକମାନଙ୍କ ସମର୍ଥନ ଯୁବ ଚେତନାକୁ ଅଧିକ ସଶକ୍ତ କରିବ । ଆଜିର ଯୁବପିଢ଼ୀ ହେଉଛନ୍ତି ଦେଶର ନିର୍ମାତା । ସେମାନଙ୍କ ଉପରେ ଦେଶର ଆସ୍ଥା ଓ ଭରସା ରହିଛି । ଦେଶପାଇଁ ଓଡ଼ିଶାର ଅବଦାନ ଅନେକ ରହିଛି । ୧୯୪୭ ମସିହାରେ ଦେଶ ବିଭାଜନର ଯେଉଁ ବିଷ ମଞ୍ଜି ବୁଣାଯାଇଥିଲା ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି । ଦେଶକୁ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଶକ୍ତିଗୁଡ଼ିକୁ ମୋଦୀ ବିଲୋପ କରିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଭାରତରେ ଯେଉଁ ଭାଇଚାରା ରହିଛି ତାହାକୁ ଆହୁରି ସୁଦୃଢ଼ କରି ଅଖଣ୍ଡ ଭାରତ ଗଠନ କରାଯାଉ ବୋଲି ସେ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.