ବର୍ଷର ପ୍ରଥମ ‘ମନ୍ କି ବାତ୍’ରେ ମୋଦି.. ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ସ୍ୱତନ୍ତ୍ର ବୋଲି କହିଲେ

ମନ୍ କି ବାତରେ ମୋଦି କହିଲେ ମହାକୁମ୍ଭ ଦେଶର ଗୌରବ । ଇସ୍ରୋ ବୈଜ୍ଞାନିକଙ୍କୁ ଦେଲେ ସାଧୁବାଦ୍ । ୧୯୫୧-୫୨ରେ ହୋଇଥିଲା ଦେଶର ପ୍ରଥମ ନିର୍ବାଚନ ।

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଇଛନ୍ତି ଉଦ୍ବୋଧନ । ଏହା ପ୍ରଧାନମନ୍ତ୍ରୀଙ୍କ ୧୧୮ତମ ମନ କି ବାତ୍ କାର୍ୟ୍ୟକ୍ରମ ।

ଖାସ୍ ହେବ ରିପବ୍ଲିକ୍ ଡେ’: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଚଳିତ ବର୍ଷର ଗଣତନ୍ତ୍ର ଦିବସ ବେଶ୍ ଖାସ୍ ବୋଲି କହିଛନ୍ତି ମୋଦି । କାରଣ ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିବ ଦେଶ ।

୧୦୫୦ ଜାନୁଆରୀ ୨୫ରେ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା । ଏହି ଦିନଟିକୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରାଯାଉଛି । ୧୯୫୧-୫୨ ମସିହାରେ ପ୍ରଥମ ନିର୍ବାଚନ ହୋଇଥିଲା । ସେ ସମୟରେ କିଛି ଲୋକଙ୍କ ମନରେ ଗଣତନ୍ତ୍ର ଜୀବିତ ରହିବା ନେଇ ଆଶଙ୍କା ଉପୁଜିଥିଲା ।

ଦେଶର ଗୌରବ: ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ମୋଦି କହିଛନ୍ତି, ପ୍ରୟାଗରାଜରେ ଜନ ସମୁଦ୍ର । ପବିତ୍ର ସ୍ଥାନରେ ଅକଳ୍ପନୀୟ ଦୃଶ୍ୟ ଓ ସମାନତା- ସମନ୍ବୟର ଅସାଧାରଣ ମିଳନ ଦେଖିବାକୁ ମିଳିଛି । ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଏହି ପରମ୍ପରାରେ କେଉଁଠି ବି ଭେଦଭାବ, ଜାତିବାଦ ଦେଖିବାକୁ ମିଳେନାହିଁ । ଯେଉଁଥିପାଇଁ କୁମ୍ଭ ଏକତାର ମହାକୁମ୍ଭ ।

ଲୋକପ୍ରିୟ: ବର୍ଷ ଆରମ୍ଭରୁ ଭାରତ ଅନ୍ତରୀକ୍ଷ କ୍ଷେତ୍ରରେ ଅନେକ ଐତିହାସିକ ସଫଳତା ହାସଲ କରିଛି । ଭାରତର ସ୍ପେଶ-ଟେକ୍ ଷ୍ଟାର୍ଟଅପ ବାଙ୍ଗାଲୁରୁର ପିକ୍ସେଲ ଭାରତର ପ୍ରଥମ ନିଜ ସାଟେଲାଇଟ କନଷ୍ଟେଲେସନ- ଫାୟାରଫ୍ଲାଏ ସଫଳତାର ସହ ଲଞ୍ଚ କରିଥିଲା । ଏହା ପୂର୍ବରୁ ଆମ ବୈଜ୍ଞାନିକମାନେ ସାଟଲାଇଟର ସ୍ପେସ୍ ଡକିଂ କରାଇଛନ୍ତି ।

ଦେଶରେ ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟ । ଯେଉଁଠାରେ ମୋଦି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତିଭାବାଦ୍ ବ୍ୟକ୍ତିଙ୍କ ସମ୍ପର୍କରେ ଆଲୋଚନା କରନ୍ତି ।