ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍

ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଏକ ଟେଲିଭିଜନ ଅଭିଭାଷଣରେ ମହମ୍ମଦ ଅଲ-ବଶିର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ବର୍ଷ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଏହି ପଦରେ ରହିବେ । ମହମ୍ମଦ ଅଲ-ବଶିର ଏହି ଛୋଟ କ୍ୟାବିନେଟର ନେତୃତ୍ୱ ନେବେ ।

ଯାହାଦ୍ୱାରା ଜନସେବା ପୁନରୁଦ୍ଧାର ହୋଇପାରିବ । ମହମ୍ମଦ ଅଲ-ବଶିର ବର୍ତ୍ତମାନ ଇଦଲିବ ପ୍ରଦେଶର ପ୍ରଶାସନ ଦାୟିତ୍ୱରେ ଅଛନ୍ତି । କିଛି ସରକାରୀ ଏଜେନ୍ସି ସରକାରୀ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କାମକୁ ଫେରିବାକୁ ନିବେଦନ କରିଥିବା ବେଳେ ଏହି ଘୋଷଣା କରାଯାଇଛି । ବିଦ୍ରୋହୀମାନେ ରବିବାର ଆଲେପ୍ପୋ, ହାମା ଏବଂ ହୋମ୍ସ ଏବଂ ପରେ ରାଜଧାନୀ ଦାମାସ୍କସକୁ ଦଖଲ କରିଥିଲେ । ଏହାପରେ ବିଦ୍ରୋହୀମାନେ କହିଛନ୍ତି ଯେ ସିରିଆ ସ୍ୱାଧୀନ ହୋଇଛି । ସେପଟେ ଦେଶ ଛାଡ଼ି ପଳାଇଥିବା ବସର ଅଲ-ଅସଦଙ୍କୁ ଆଶ୍ରୟ ଦେଇଛି ରୁଷିଆ ।