fbpx
BSKY
BJD SHG SKY
BJD YOUTH SKY

କ୍ରିକେଟ୍ ଖେଳ ଭିତରେ ପଡିଆରେ ନମାଜ୍ ପଢିବା ପରେ ଏବେ ମହମ୍ମଦ ରିଜ୍‌ୱାନଙ୍କୁ ମିଳିବ ଦଣ୍ଡ !

ଓଡ଼ିଶା ଭାସ୍କର: ଖେଳ ପଡିଆ ମଝିରେ ନମାଜ୍ ପଢିଲେ । ଖେଳାଳି ହୋଇ ଧର୍ମର ପ୍ରଦର୍ଶନ କଲେ । କ୍ରୀଡା ଭାବନାର ଧଜ୍ଜିୟା ଉଡାଇଲେ । ଭାରତୀୟ ଓକିଲ ଆଇସିସିରେ ଫେରାଦ୍ ହେଲେ । ୨୦୨୩ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ ଭାରତରେ ଖେଳାଯାଉଥିବା ବେଳେ ପୂରା ୭ ବର୍ଷ ପରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ଭାରତ ଆସିଛି । ହେଲେ ଭାରତକୁ ଟିମ୍ ପଠାଇବାକୁ ଅରାଜି ହୋଇ ଅନେକ ବିବାଦ ତିଆରି କରିଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । ଆଉ ଭାରତରେ ପହଞ୍ଚିବା ପରଠାରୁ ପାକିସ୍ତାନୀ କ୍ରିକେଟ୍ ଦଳ ହିଁ ବିବାଦ ସୃଷ୍ଟି କରୁଛି । ତେବେ ସବୁ ପାକିସ୍ତାନୀ ଖେଳାଳି ଯେ ଭାରତରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛନ୍ତି ସେକଥା ନୁହେଁ, ହେଲେ କିଛି ଖେଳାଳି ଅଛନ୍ତି ଯିଏ ନିଜ ହରକତ୍ ପାଇଁ ବିବାଦର ସୂତ୍ରପାତ କରୁଛନ୍ତି । ଆଉ ସେମିତି ଜଣେ ପାକିସ୍ତାନୀ ଖେଳାଳି ହେଉଛନ୍ତି ମହମ୍ମଦ ରିଜ୍‌ୱାନ୍ । ଯିଏ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି ।

ଆଉ ଏବେ ପୁଣି ସେ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଏକ ନୂଆ ବିବାଦ ତିଆରି ହୋଇଛି । ଖେଳ ପଡିଆ ମଝିରେ ହିଁ ନମାଜ୍ ପଢିଛନ୍ତି ରିଜୱାନ୍ । ହଁ ଆଜ୍ଞା, ଗତ ୬ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧି ଷ୍ଟାଡିଅମ୍‌ରେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ଏଭଳି କାମ କରିଛନ୍ତି ରିଜୱାନ୍ । ନିଜ ଅର୍ଦ୍ଧଶତକ ପୂରା କରିବା ପରେ ପଡିଆ ମଝିରେ ରିଜୱାନ୍ ନମାଜ ପାଠ କରିଥିଲେ । ଯାହାକୁ ନେଇ ଅନେକ ଲୋକ ଆପତ୍ତି ଉଠାଇଥିଲେ । ଖେଳ ପଡିଆ ଭିତରେ ଖେଳ ମଝିରେ ହଜାର ହଜାର ଦର୍ଶକଙ୍କ ସାମନାରେ ନମାଜ ପାଠ କରି ସେ ନିଜକୁ ଏକ ନିର୍ଦ୍ଦିଷ୍ଟ ଧର୍ମର ବୋଲି ପ୍ରଦର୍ଶିତ କରିଛନ୍ତି । ଯାହା ଖେଳଭାବନାକୁ ବିରୋଧ କରୁଛି । ତେବେ କଥା ଖାଲି ଏଇଠି ସରିନଥିଲା । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ ପରେ ରିଜୱାନ୍ ଏହାକୁ ଗାଜାବାସୀଙ୍କ ପାଇଁ ସମର୍ପିତ କରିବା ସହ ମ୍ୟାଚ୍ ଜିତିବା ପରେ ଗାଜା ଉପରେ ଇସ୍ରାଏଲ୍‌ର ଆକ୍ରମଣକୁ ନିନ୍ଦା କରିଥିଲେ ।

ଫଳରେ ଏହି ବିବାଦ ଆହୁରି ବଢିଯାଇଥିଲା । ଆଉ ଏହାକୁ ନେଇ ରିଜୱାନ୍‌ଙ୍କ ବିରୋଧରେ ଆଇସିସିରେ ଅଭିଯୋଗ କରିଛନ୍ତି ଦିଲ୍ଲୀର ଓକିଲ ବିନୀତ ଜିନ୍ଦଲ । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି କି ଜଣେ ଖେଳାଳି ହୋଇ ମଧ୍ୟ ରିଜୱାନ୍ ନିଜ ଧର୍ମକୁ ପ୍ରଦର୍ଶନ କରୁଛନ୍ତି । ଯାହା ଖେଳ ଭାବନାର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ଏହା ସହ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ଭଳି ରାଜନୈତିକ ପ୍ରସଙ୍ଗ ଉପରେ ମଧ୍ୟ କୌଣସି ଖେଳାଳିଙ୍କ ବୟାନ ଦେବାର ଅଧିକାର ନାହିଁ । ହେଲେ ରିଜୱାନ୍ ଏହା ଉପରେ ବୟାନ ଦେଇ ନିଜ ଅଧିକାରର ଉଲ୍ଲଙ୍ଘନ କରିଛନ୍ତି । ଯେଉଁଥି ପାଇଁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଇନଜୀବୀ ବିନୀତ ଜିନ୍ଦଲ । ବହୁ କ୍ରିକେଟ୍ ପ୍ରେମୀ ମଧ୍ୟ ପଡିଆ ମଝିରେ ରିଜୱାନ୍‌ଙ୍କ ନମାଜ ପାଠକୁ ବିରୋଧ କରି ତାଙ୍କ ଉପରେ କଟକଣା ଲଗାଇବାକୁ ଦାବି କରିଛନ୍ତି । ଏଠାରେ ଆମେ କହି ରଖିବାକୁ ଚାହିଁବୁ କି ରିଜୱାନ୍‌ଙ୍କ ନମାଜ ପାଠ ପରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ୱାକର ୟୁନୁସ୍ କହିଛନ୍ତି କି ରିଜୱାନ୍ ଭାରତରେ ହିନ୍ଦୁଙ୍କ ସାମ୍‌ନାରେ ନମାଜ ପଢିବା ମୋ ପାଇଁ ବହୁତ ସ୍ପେସାଲ । ତେବେ ୟୁନୁସ୍‌ଙ୍କ ଏପରି ବୟାନକୁ ମଧ୍ୟ ଭାରତୀୟ ଦର୍ଶକ ମାନେ କଡା ନିନ୍ଦା କରିବା ସହ ଲୋକେ କହିଛନ୍ତି କି ଜଣେ ଖେଳାଳିଙ୍କୁ ଏଭଳି ଧର୍ମାନ୍ଧ ଆଚରଣ ଶୋଭା ପାଏନି ।

Get real time updates directly on you device, subscribe now.