“ମମି ମୁଁ ବିଷ ଖାଇଦେଲି, ମୋ ବଡି ନେଇଯିବୁ, ଫୋନ ବି ଭାଙ୍ଗିଦେବି, କିଛି ପ୍ରମାଣ ରହିବନି”

ଆତ୍ମହତ୍ୟା ପୂର୍ବରୁ ଅଡିଓ ଭାଇରାଲ

ମହାରାଷ୍ଟ୍ର: ଆତ୍ମହତ୍ୟା ପୂର୍ବରୁ ଅଡିଓ ରେକର୍ଡ। “ମମି ମୁଁ ବିଷ ଖାଇଦେଲି, ମୋ ଡେଡ଼ ବଡି ନେଇଯିବୁ, ମୋ ମୋବାଇଲ ଫୋନ ବି ମୁଁ ଭାଙ୍ଗିଦେବି, କିଛି ପ୍ରମାଣ ରହିବନି।” ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ଜଣେ 18 ବର୍ଷୀୟ ଯୁବକ ସଞ୍ଜୟ କୁମାର ବିନୋଦ କୁମାର ରାଜପୁତ ଆତ୍ମହତ୍ୟା କରିବା ପୂର୍ବରୁ ଏହିପରି କହି ଏକ ଅଡିଓ ରେକର୍ଡ କରିଥିଲେ।

ନିଖୋଜ ନେଇ ଅଭିଯୋଗ ଦାଖଲ: ଜୁନ୍ ୧୭ ତାରିଖରେ ଦେହୁରୋଡ ପୋଲିସ ଷ୍ଟେସନରେ ସଞ୍ଜୟ କୁମାର ନିଖୋଜ ଥିବା ନେଇ ଅଭିଯୋଗ ଦାଖଲ ହେବାପରେ ଶନିବାର ଦିନ ତାଙ୍କ ମୃତଦେହ ଘୋରୱାଡେଶ୍ୱର ପାହାଡ଼ ତଳେ ମିଳିଥିଲା। ମୃତଦେହ ନିକଟରେ ବିଷାକ୍ତ ଔଷଧର ଏକ ବୋତଲ ମଧ୍ୟ ମିଳିଥିଲା।

ଭଉଣୀଙ୍କ ପାଇଁ ଚିନ୍ତା: ସଞ୍ଜୟ କୁମାର ତାଙ୍କ ପରିବାର ସହିତ ପିମ୍ପରି-ଚିଞ୍ଚୱାଡ ଅଞ୍ଚଳରେ ରହୁଥିଲେ। ତାଙ୍କ ପରିବାରରେ ତାଙ୍କ ବାପା ମାଆ ଏବଂ ଦୁଇ ଭଉଣୀ ଅଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ରେକର୍ଡ ହୋଇଥିବା ଅଡିଓରେ ସେ ତାଙ୍କ ଭଉଣୀମାନଙ୍କ ପାଇଁ ଚିନ୍ତା ପ୍ରକାଶ କରିଥିଲେ ଏବଂ ତାଙ୍କ ପିତାମାତାଙ୍କୁ ସେମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇବାକୁ ଅନୁରୋଧ କରିଥିଲେ।

ବିଷ ପିଇ ଆତ୍ମହତ୍ୟା: ଏହି ବିଷୟକୁ ନେଇ ପୋଲିସ ତଦନ୍ତ କରୁଥିବାବେଳେ ତଦନ୍ତରୁ ଜଣାପଡିଛି ଯେ ସଞ୍ଜୟ କୁମାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ସମାନ କଥା କୁହାଯାଇଛି।