ମୋମୋ ଟ୍ରାଜେଡି: ୧ ବର୍ଷ ପାଇଁ ମାୟୋନିଜ୍ ଉପରେ ଲାଗିଲା ବ୍ୟାନ୍‌, ମୋମୋ ଖାଇ ମହିଳାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମୋମୋ ନାଁ ଶୁଣିଲେ ପାଟିରୁ ଲାଳ ଗଡ଼ିଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ ସୁଆଦିଆ ମୋମୋ । କହିବାକୁ ଗଲେ ଧୀରେ ଧୀରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମୋମୋର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ମେଟ୍ରୋ ସିଟିର ଜଣେ ମହିଳା ମୋମୋ ଖାଇ ମୃତ୍ୟୁ ବରଣ ଏବଂ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇଥିବା ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହି ମାମଲାକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ ରାଜ୍ୟରେ କଞ୍ଚା ଅଣ୍ଡାରୁ ପ୍ରସ୍ତୁତ ମାୟୋନିଜ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ଖବର ସାମ୍ନାକୁ ଆସିଛି । ସାଣ୍ଡୱିଚ୍‌, ମୋମୋ, ଶୱରମା ଇତ୍ୟାଦି ଫାଷ୍ଟ ଫୁଡ଼ରେ ମାୟୋନିଜ୍ ବ୍ୟବହାର ହୋଇଥାଏ । ତେଲେଙ୍ଗାନା ଫୁଡ୍ ସେଫଟି କମିଶନର ଏକ ବୟାନରେ କହିଥିଲେ, ‘ଗତ କିଛି ମାସର ନୀରିକ୍ଷଣ ଏବଂ ପ୍ରାପ୍ତ ଅଭିଯୋଗରୁ ଜଣାପଡ଼ିଥିଲା କି କଞ୍ଚା ଅଣ୍ଡାରେ ପ୍ରସ୍ତୁତ ହେଉଥିବା ମାୟୋନିଜ୍ ଦ୍ୱାରା ଫୁଡ୍ ପଏଜନିଂ ସମସ୍ୟା ସୃଷ୍ଟି କରୁଛି । ତେଣୁ ଯେଉଁଠି ବି ଏଭଳି ମାମଲା ସାମ୍ନାକୁ ଆସୁଛି ସେଠାରେ ମାୟୋନିଜର ଉତ୍ପାଦନ, ସଂରକ୍ଷଣ ଏବଂ ବିକ୍ରି ଉପରେ ୨୦୨୪ ଅକ୍ଟୋବର ୩୦ରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ କଟକଣା ଲାଗୁ ହେବ ।’ ସେ ଆହୁରି ମଧ କହିଥିଲେ କି ଖାଦ୍ୟ ଉତ୍ପାଦ ସହ ଜଡ଼ିତ ସମ୍ଭାବିତ ସ୍ୱାସ୍ଥ୍ୟ ସମସ୍ୟା ନେଇ ସାଧାରଣଜନତାଙ୍କୁ ସତର୍କ କରାଯିବ ।