fbpx

ମାଙ୍କଡ଼ ନେଇଗଲା ହତ୍ୟା ମାମଲାର ପ୍ରମାଣ ! କୋର୍ଟରେ ପୋଲିସ ରଖିଲା ଏଭଳି ଉତ୍ତର…

ମାଙ୍କଡ଼ ନେଇଗଲା ହତ୍ୟା ମାମଲାର ପ୍ରମାଣ! ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଏକ କୋର୍ଟରେ । ଆଉ ବଡ଼ କଥା ହେଉଛି ପୋଲିସ କୋର୍ଟରେ ନିଜେ ସ୍ୱୀକାର କରିଛି ଯେ ସଂଗ୍ରହ ହୋଇଥିବା ପ୍ରମାଣକୁ ମାଙ୍କଡ଼ ନେଇ ପଳେଇଛି । ଚୋରି ହୋଇଥିବା ପ୍ରମାଣ ମଧ୍ୟରେ ହତ୍ୟାରେ ବ୍ୟବହୃତ ହୋଇଥିବା ଏକ ଛୁରି ମଧ୍ୟ ରହିଥିଲା ।

ସୂଚନା ଅନୂଯାୟୀ, ୨୦୧୬ ଜୟପୁର ଚାନ୍ଦୱାଜିର ଶଶିକାନ୍ତ ଶର୍ମାଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରୁଥିଲା ପୋଲିସ୍ । ମୃତ୍ୟୁ ପୂର୍ବରୁ ତିନିଦିନ ଧରି ନିଖୋଜ ରହିଥିଲେ ଶଶିକାନ୍ତ । ସେପଟେ ଶଶିକାନ୍ତଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ସହ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଥିଲେ । ପ୍ରତିବାଦ ପରେ ପୋଲିସ ଏହି ଘଟଣାରେ ସେହି ଚାନ୍ଦୱାଜ ଅଞ୍ଚଳର ଦୁଇ ଜଣ ରାହୁଲ ଏବଂ ମୋହନଲାଲ କନ୍ଦେରାଙ୍କୁ ପାଞ୍ଚ ଦିନ ପରେ ଗିରଫ କରିଥିଲା । ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା, କିନ୍ତୁ ପୋଲିସ ଷ୍ଟେସନରେ ଅଡିଟୋରୀରେ ସ୍ଥାନ ନଥିବାରୁ ପ୍ରମାଣକୁ ଷ୍ଟେସନର ଗଛ ତଳେ ରଖାଯାଇଥିଲା ।

ଏହାପରେ କୋର୍ଟରେ ଟ୍ରାଏଲ ବର୍ଷ ବର୍ଷ ଧରି ଚାଲିଥିଲା । ତେବେ ନିକଟରେ କୋର୍ଟ ଏହି ମାମଲାରେ ପ୍ରମାଣ ଦାଖଲ କରିବାକୁ କହିଥିଲେ କିନ୍ତୁ ପ୍ରମାଣ ମାଙ୍କଡ଼ ନେଇଯାଇଥିବା ନେଇ କହିଥିଲା ପୋଲିସ୍ । ବ୍ୟାଗରେ ୧୫ ଟି ଜରୁରୀ ପ୍ରମାଣ ରହିଥିଲା । ପୋଲିସ ଏନେଇ ଏକ ଲିଖିତ ବୟାନ କୋର୍ଟରେ ରଖିଥିଲେ ଯେ ମାଙ୍କଡ଼ ପ୍ରମାଣ ପତ୍ର ଚୋରେଇ ନେଇଯାଇଛି । ଏହା ପରେ କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ପୋଲିସକୁ ନୋଟିସ ଜାରି କରିଥିଲେ, ପୋଲିସ ଜଣେ କନଷ୍ଟେବଲଙ୍କ ଅସାବଧାନତା ହେତୁ ଏପରି ହୋଇଥିବା ଦର୍ଶାଇଥିଲା । ପୋଲିସ ଆହୁରି ମଧ୍ୟ କହିଥିଲା ଯେ ଘଟଣା ପରେ ଉକ୍ତ କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଥିଲା ଏବଂ ତାଙ୍କୁ ପରେ ଅବସର ଦିଆଯାଇଥିଲା । ଆଉ ଏବେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଗଲାଣି ।

Get real time updates directly on you device, subscribe now.