fbpx

(Video) ମଣିଷକୁ ସମ୍ପର୍କର ମୂଲ୍ୟ ଶିଖାଇଲା ନିରୀହ ମାଙ୍କଡ଼: ବୁଢ଼ୀ ମାଉସୀଙ୍କ ଶବକୁ ଧରି ଝରାଇଲା ଲୁହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବଳ ମଣିଷ ନୁହନ୍ତି, ମନର ଭାବନାକୁ ପଶୁପକ୍ଷୀମାନେ ମଧ୍ୟ ବୁଝିପାରନ୍ତି । ସେଥିପାଇଁ ଭଲପାଉଥିବା ନିଜର ମଣିଷଟିଏ ଆରପାରିକୁ ଚାଲିଗଲା ପରେ ପଶୁମାନେ ମଣିଷ ପରି ଆଖିରୁ ଲୁହ ଗଡ଼ାଇଥାନ୍ତି । ଏଭଳି ଏକ ଘଟଣାକ୍ରମରେ ଗୋଟିଏ ମାଲିକ ଜଣେ ମହିଳାଙ୍କ ଶବ ନିକଟରେ ବସି ମୃତକଙ୍କ ଗୋଡ଼କୁ ଆଉଁସୁଥିବା ଦେଖିବାକୁ ମିଳିଥିଲା । ମୃତ ମହିଳାଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲେ ହେଁ ମାଙ୍କଡ଼ଟିର ଏହି ନିଆରା ଭଲପାଇବା ସମସ୍ତଙ୍କୁ ଚକିତ କରିଦେଇଛି ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ପାରାଦୀପ ଉପକଣ୍ଠ ଏରସମା ବ୍ଲକର ନୂଆଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଉକ୍ତ ଗ୍ରାମର ଜଣେ ମହିଳା ମଞ୍ଜୁ ଦାସଙ୍କ ମୃତ୍ୟୁ ପରେ ମାଙ୍କଡ଼ଟି ବୁଢ଼ୀ ମଞ୍ଜୁ ମାଉସୀଙ୍କ ଶବ ନିକଟରେ ଦୀର୍ଘ ୩ ଘଣ୍ଟା କାଳ ବସି ରହି କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଶବ ନିକଟକୁ ମାଙ୍କଡ଼ଟି କାହାରିକୁ ବି ଛାଡ଼ିନଥିଲା । ମଞ୍ଜୁ ମାଉସୀଙ୍କ ଶବ ଶ୍ମଶାନକୁ ଚାଲିଯିବା ପରେ ମାଙ୍କଡ଼ଟି ପଳାଇ ଯାଇଥିଲା ।

ତେବେ ଏଠାରେ କହିବା କଥା ହେଲା, ଆଜିକାଲିର ସ୍ୱାର୍ଥସର୍ବସ୍ୱ ଦୁନିଆରେ ମଣିଷ ମଣିଷକୁ, ରକ୍ତ ରକ୍ତକୁ ଭୁଲି ଯାଉଛି । କେଉଁଠି ପୁଅ ବାପାଙ୍କୁ ହତ୍ୟା କଲାଣି, କେଉଁଠି ଭାଇ-ଭାଇ ମଧ୍ୟରେ ରକ୍ତପାତ ଦେଖିବାକୁ ମିଳୁଛି । ଏହାଛଡ଼ା ଅର୍ଥ, ପ୍ରେମ ସମ୍ପର୍କ ପାଇଁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା, ଡିଭୋର୍ସ, ହତ୍ୟା ଏକ ସାଧାରଣ କଥା ହୋଇଗଲାଣି । ଏଭଳି ଘଡ଼ିସନ୍ଧି ସମୟରେ ମାଙ୍କଡ଼ ପରି ଏକ ସାଧାରଣ ପଶୁ ଜଣେ ମହିଳାଙ୍କ ପାଇଁ ଆଖିରୁ ଲୁହ ଝରାଇବା ଏକ ସାଧାରଣ କଥା ନୁହେଁ । ଏହି ଘଟଣାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.