fbpx

ମୌସୁମୀ ପ୍ରବାହ ସକ୍ରିୟ : ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୧୧ରୁ ଆଉ ଏକ ଘୂର୍ଣ୍ଣିବଳୟ !

ଭୁବନେଶ୍ୱର: ଯଦିଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଯାଇଛି, ତେବେ ସାରା ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଶନିବାର ଯାଏଁ ଏଭଳି ବର୍ଷା ଜାରୀ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପ୍ରବଳ ବର୍ଷା ନେଇ ୧୦ଜିଲ୍ଲାକୁ ୟେଲୋ ଆଲର୍ଟ ଜାରୀ କରାଯାଇଛି ।

ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର, ଢ଼େଙ୍କାନାଳ, ମୟୂରଭଞ୍ଜ ଓ କଟକକୁ ପ୍ରବଳ ବର୍ଷା ପାଇଁ ଆଲର୍ଟ କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୧୧୦ମିମି ବର୍ଷାର ସମ୍ଭାବନା ରହିଛି । ଗତ ସେପ୍ଟେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୪.୬ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୭୦.୪ମିମି ତୁଳନାରେ ୨୦ପ୍ରତିଶତ ଅଧିକ ।

ଅନ୍ୟପକ୍ଷରେ ଆସନ୍ତା ୧୧ ଓ ୧୨ରୁ ପୁଣି ଥରେ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି । ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏସବୁ ଭିତରେ ଏତେ ବର୍ଷା ପରେ ବି ଚାଷ ପାଇଁ ପାଣିର ଅଭାବ ରହିଛି । ୯ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବାରୁ ଏହିସବୁ ଜିଲ୍ଲାରେ ଚାଷକାର୍ଯ୍ୟ ଠପ ହୋଇ ପଡିଛି । ବର୍ଷା ହେଲେ ବି ଜମିରେ ପାଣି ରହୁନାହିଁ । ଫଳରେ ଚାଷୀ ହତାଶ ହୋଇଆକାଶକୁ ଚାହିଁ ବସିଛି । କେଉଁଠି ପୂର୍ବରୁ ପ୍ରଚଣ୍ଡ ଖରାରେ ତଳି ଜଳିଯାଇଛି ତ ଆଉ କେଉଁଠି ପାଣି ଅଭାବରୁ ଚାଷୀ ବିଲରେ ଗୋରୁ ଛାଡି ଦେଇଛି । ତେଣୁ ଚଳିତବର୍ଷ ଧାନ ଚାଷ ପିଛେଇ ଯିବ ବୋଲି ଆଶଙ୍କା କରାଯାଇଛି ।

Get real time updates directly on you device, subscribe now.