ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ, ଏବେ ଜାରି ରହିବ ଗ୍ରୀଷ୍ମ ପ୍ରକୋପ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ତାର ପରିସମାପ୍ତି ଘଟିବାକୁ ଯାଉଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି ।

ସୂଚନାଯୋଗ୍ୟ ଯେ, ୧୫ ତାରିଖ କିମ୍ବା ୧୬ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଥିଲେ । ସେ କହିଥିଲେ ଗତ ୧୩ ତାରିଖରେ ମୌସୁମୀ ମହାରାଷ୍ଟ୍ର, ଗୁଜରାଟ ଓ ବିହାରର କିଛି ଅଞ୍ଚଳ ଛୁଇଁ ସାରିଛି । ଆଶା କରାଯାଉଛି ୧୫ କିମ୍ବା ୧୬ରେ ମୌସୁମୀ ଓଡ଼ିଶା ଛୁଇଁପାରେ । ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ନେଇ ଆଶା କରାଯାଉଛି । ତେବେ ଏସବୁ ଭିତରେ ଗତ ୨ ଦିନ ହେବ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି ।