fbpx

ରାଜ୍ୟରୁ ହଟିବ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି: କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସହିତ ଅନ୍ୟ ସହରମାନଙ୍କରେ ବର୍ତ୍ତମାନ ସମୟରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି । ତେବେ ରାସ୍ତାରେ ଚାଲୁଥିବା ପୁରୁଣା ଗାଡ଼ି ମଧ୍ୟ ପ୍ରଦୂଷଣ ପାଇଁ କିଛି ମାତ୍ରାରେ ଦାୟୀ । ତେଣୁ କେନ୍ଦ୍ର ସରକାର ସ୍କ୍ରାପ ପଲିସି ଜରିଆରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇବା ନେଇ ନିୟମ ପ୍ରଣୟନ କରିଛନ୍ତି । ତେବେ ସରକାରୀ ଗାଡ଼ିରୁ ଏହି ଅଭିଯାନ ପ୍ରଥମେ ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସ୍ପଷ୍ଟ କରିଛନ୍ତି ।

ତେବେ ଏଭଳି ସ୍ଥିତିରେ ଓଡ଼ିଶାର ରାଜରାସ୍ତାରୁ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି ହଟିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ପୁରୁଣା ଗାଡ଼ିଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ହୋଇଥିବାରୁ ସେଗୁଡ଼ିକୁ ସ୍କ୍ରାପ କରାଯିବ । ରାଜ୍ୟରେ ପୁରୁଣା ଗାଡ଼ି ସ୍କ୍ରାପ ଶିଳ୍ପ ପ୍ରତିଷ୍ଠା ହେଲେ ପୁରୁଣା ଗାଡ଼ିକୁ ହଟାଇବା ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି କୁହାଯାଉଛି । କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ବାଧ୍ୟ କରାଯାଇ ନାହିଁ ।

ରାଜ୍ୟରେ ବର୍ତ୍ତମାନ ପାଖାପାଖି ୭୦ ଲକ୍ଷ ପଞ୍ଜିକୃତ ଗାଡ଼ି ରହିଥିବା ବେଳେ ସେଥିମଧ୍ୟରୁ ୧୬ ଲକ୍ଷରୁ ଅଧିକ ହେଉଛି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି । ତେବେ ଏହି ସମସ୍ତ ପୁରୁଣା ଗାଡ଼ି ମଧ୍ୟରୁ ପୁରୁଣା ସରକାରୀ ଗାଡ଼ିର ହାର ୨ରୁ ୩ ପ୍ରତିଶତ ମଧ୍ୟରେ ହେବ ବୋଲି କୁହାଯାଉଛି । କେନ୍ଦ୍ର ସରକାର ନିର୍ଦ୍ଦେଶ ମୁତାବକ ପୁରୁଣା ଗାଡ଼ିର ବ୍ୟବହାର ନେଇ ପଦକ୍ଷେପ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ସ୍କ୍ରାପ ପିଲିସି ଲାଗୁ ହେବ ବୋଲି ନିକଟରେ ରାଜ୍ୟ ପରିବହନ ମନ୍ତ୍ରୀ ମଧ୍ୟ କହିଥିଲେ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ଅନୁମୋଦନ ପାଇଁ ପଠାଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.