fbpx

ରେଲୱେ ଷ୍ଟେସନରେ ଆକ୍ରମଣରେ ୩୦ ମୃତ ୧୦୦ରୁ ଅଧିକ ଆହତ: ରକେଟ ଆଟାକକୁ ମାନୁନି ଋଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଥମୁନି ଆକ୍ରମଣ । ପୂର୍ବ ୟୁକ୍ରେନର ନାଗରିକମାନଙ୍କୁ ଥଇଥାନ କରିବା ପାଇଁ ବ୍ୟବହୃତ ହେଉଥିବା ଏକ ରେଲୱେ ଷ୍ଟେସନ ଉପରେ ହୋଇଛି ରକେଟ ଆକ୍ରମଣ । ଏହି ଆକ୍ରମଣରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦ ପାର କରିଛି । ଋଷ ସୈନ୍ୟଙ୍କ ଆକ୍ରମଣ ମଧ୍ୟରେ ସେଠାରୁ ବାହାରି ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଷ୍ଟେସନରେ ହଜାର ହଜାର ଲୋକ ଅପେକ୍ଷା କରିଥିବା କହିଛନ୍ତି ରାଜ୍ୟପାଳ ପାବଲୋ କିରିଲେଙ୍କୋ ।

ସୂଚନା ଅନୁଯାୟୀ, କ୍ରାମାତୋରସ୍କ ସହରର ରେଲୱେ ଷ୍ଟେସନରେ ହଠାତ ଦୁଇଟି ରକେଟ ଆକ୍ରମଣ ହୋଇଛି । ତେବେ ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ଏହି ସଂଖ୍ୟାରେ ବୃଦ୍ଧି ହେବାରେ ଲାଗିଛି । କିନ୍ତୁ ସେପଟେ ଋଷ ଏହି ଆକ୍ରମଣ କରିଥିବା ମନା କରି ଦେଇଛି । ଏଥିସହ ଏହି ଆକ୍ରମଣର ଦୋଷ ୟୁକ୍ରେନ ଉପରେ ହିଁ ଲଦିଛି ଋଷ । ଏହି ରକେଟ ଆକ୍ରମଣ ପରେ ଋଷ ଉପରେ ଖୁବ ଖପ୍ପା ଅଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଋଷ ନାଗରିକମାନଙ୍କ ସ୍ୱାଧୀନତାକୁ ନଷ୍ଟ କରୁଥିବା ଜେଲେନସ୍କି କହିଛନ୍ତି । ତେଣୁ ଋଷକୁ ଏଥିପାଇଁ ଦଣ୍ଡିତ କରିବାକୁ ସେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ସହରର ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳରେ ପୁଣି ଥରେ ସୈନ୍ୟ ନିୟୋଜିତ କରୁଛି ଋଷ ।

Get real time updates directly on you device, subscribe now.