Exclusive: ଜଣଙ୍କ ଭୁଲ୍ ପାଇଁ ଚାଲିଗଲା ୩୦୦ରୁ ଅଧିକ ଜୀବନ, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ- ରେଳମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରର ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଚାଲିଯିବା ସହିତ ଏକ ହଜାରରରୁ ଅଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ମୃତକଙ୍କ ପାଇଁ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ଓଡ଼ିଶା ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ମଧ୍ୟରେ ଟ୍ରେନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ଆସିଥିବା ବେଳେ ଖୁବଶୀଘ୍ର ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ତେବେ ଏଭଳି ଏକ ଭୟଙ୍କର ଦୁର୍ଘଟଣାକୁ ନେଇ ସାରା ବିଶ୍ୱର କୋଣକୋଣରେ ଶୋକର ଲହରୀ ଖେଳିଯାଇଛି । ବିଭିନ୍ନ ରାଜ୍ୟ ପୀଡ଼ିତଙ୍କ ପାଇଁ ସମବେଦନା ଜ୍ଞାପନ କରିଛନ୍ତି । ଏହା ମଧ୍ୟରେ ଏହି ଦୁର୍ଘଟଣାର କାରଣ ଓ ରେଲୱେର ସୁରକ୍ଷା ‘କବଚ’କୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହିତ ଏହି ଦୁର୍ଘଟଣାର କାରଣକୁ ନେଇ ଲୋକଙ୍କ ମଧ୍ୟରେ ନାନା ପ୍ରକାରର ଚର୍ଚ୍ଚା ହେଉଛି । ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ଏଏସଏମ) ଫେରାର ହୋଇଯାଇ ଥିବାରୁ ତାଙ୍କ ବିରୋଧରେ ଜିଆରପି ଥାନାରେ ମାମଲା ଦାୟର ହୋଇଛି ।

ତେବେ ଯେଉଁ ବ୍ୟକ୍ତିଙ୍କ ପାଇଁ ୩୦୦ରୁ ଅଧିକ ଲୋକଙ୍କର ଜୀବନ ଚାଲିଗଲା ସେହି ବ୍ୟକ୍ତି ଜଣଙ୍କ ଏବେ ଚିହ୍ନଟ ହୋଇ ସାରିଛନ୍ତି । ଜଣଙ୍କର ଭୁଲ ପାଇଁ ଆଜି ଏତେବଡ଼ ଦୁର୍ଘଟଣା ଘଟିଗଲା । ଏହି ଦୁର୍ଘଟଣା ପାଇଁ ଯିଏ ଦାୟୀ ସେ ଚିହ୍ନଟ ହୋଇ ସାରିଛନ୍ତି । ଖୁବଶୀଘ୍ର ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇ ସାରିଛି । ଦୁର୍ଘଟଣାର ତଦନ୍ତ ସରିଥିବା ବେଳେ ରେଳ ସୁରକ୍ଷା ଆୟୋଗ ଖୁବଶୀଘ୍ର ତାଙ୍କର ରିପୋର୍ଟ ଦାଖଲ କରିବେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇଣ୍ଟରଲକିଂ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ତେଣୁ ସେହି ସମୟରେ ଇଣ୍ଟରଲକିଂ ସିଷ୍ଟମରେ ଥିବା ବ୍ୟକ୍ତିଜଣଙ୍କ ଏହି କାଣ୍ଡ ପାଇଁ ଦାୟୀ ବୋଲି ଅଶ୍ୱିନୀ କହିଛନ୍ତି ।